Odia News Portal

୪ଘଣ୍ଟାକାଳ ଅକ୍ଳାନ୍ତ ଉଦ୍ୟମ କରିବା ପରେ ଆୟତ୍ତ ହେଲା ଦିଲ୍ଲୀ ଏମ୍ସର ନିଆଁ

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀସ୍ଥିତ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପିସି ବ୍ଲକରେ ଲାଗିଥିବା ନିଆଁକୁ ଶେଷରେ ଦମକଳ ବିଭାଗ କର୍ମଚାରୀମାନେ ଆୟତ୍ତ କରିଛନ୍ତି। ୩୪ଟି ଦମକଳ ଦୀର୍ଘ ୪ ଘଣ୍ଟା କାଳ ଅକ୍ଳାନ୍ତ ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।  ଅଗ୍ନିକାଣ୍ଡ ଯୋଗୁ ଏମ୍ସର ଜରୁରି ୱାର୍ଡକୁ ଦୀର୍ଘ ସମୟ ଧରି ବନ୍ଦ ରଖିବାକୁ ପଡିଥିଲା।  କାରଣ ନିଆଁ ଲାଗିଥିବା ବ୍ଲକକୁ ଲାଗି ଏମର୍ଜେନ୍ସୀ ୱାର୍ଡ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ସେହିପରି ଅର୍ଥପେଡିକ ୟୁନିଟ୍ (ଏବି ୱାର୍ଡ)ରୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଶନିବାର ମଧ୍ୟାହ୍ନ ପରେ ପରେ ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ତେବେ କିଛି ସମୟ ମଧ୍ୟରେ ଦ୍ୱିତୀୟ ମହଲାରୁ ମଧ୍ୟ ଧୂଆଁ ବାହାରିଥିଲା। ଏଣୁ ନିଆଁ ଲାଗିଥିବା ନେଇ ରୋଗୀଙ୍କ ଆଟେଣ୍ଡାଣ୍ଟ ଏଣେତେଣେ ଧାଁ ଧଉଡ କରିଥିଲେ। ଏମ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ପ୍ରଥମେ ୪ ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ ସମ୍ଭବ ନ ହେବାରୁ ଆହୁରି ୧୮ଟି ଦମକଳ ଡକାଯାଇଥିଲା। ତେବେ ୨୨ଟି ଦମକଳ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ।

ଫଳରେ ସହାୟତା ଲାଗି ଆଉ ୧୨ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲାଗିବାର ପ୍ରାୟ ୩ ଘଣ୍ଟା ପରେ ବି ବାହାରକୁ ସ୍ପଷ୍ଟ ଦେଖାଯାଉଥାଏ। ଏଣୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ମନେ ହେଉଥିଲା। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଲୋକଙ୍କୁ ଶାନ୍ତ ରହିବାକୁ ଅପିଲ କରିବା ସହ ଦମକଳ ବିଭାଗ କର୍ମଚାରୀ ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଦମକଳ ବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ନିଆଁ ଆୟତ୍ତ ହୋଇ ପାରିଛି।