Odia News Portal

ବିପଦରେ ପଡି ବିଧାୟକଙ୍କ ଶରଣରେ ଚଣ୍ଡା ଶୋକ

ଭୁବନେଶ୍ୱର : ସାଧାରଣ ନିର୍ବାଚନବେଳେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଜଣେ ବିଧାୟକଙ୍କ ବିରୁଦ୍ଧରେ କୁତ୍ସାରଟନା ସହିତ ତାହା କିଭଳି ଦାନା ଧରିବ ସେ ଦିଗରେ ବି ପୁଞ୍ଜି ଖଟାଇଥିଲେ । ଆଉ ଜଣଙ୍କ ବସ୍ତିଭୋଟ କାଟିବାପାଇଁ ଟୋକା ଲଗାଇଥିଲେ । ସେଥିରେ କିନ୍ତୁ ସଫଳତା ମିଳିଲା ନାହିଁ । ଏବେ ନିଜେ ବିପଦରେ ପଡିଥିବାରୁ ଦୁଇ ବିଧାୟକଙ୍କ ଶରଣ ପଶି ଭୋଜି ଖାଇବାକୁ ଡାକିଛନ୍ତି ଚଣ୍ଡା ଶୋକ । ଦଶହରା ପୂର୍ବରୁ ଟଙ୍କପାଣିରୋଡ୍‍ରେ ଚାଲିଥିବା ଭୋଜିକୁ ନିମବିତ ହୋଇଛନ୍ତି ଦୁଇ ଜଣ ବିଧାୟକ ।

ହେଲେ ସେମାନଙ୍କୁ ଏମିତି ଖୁସିରେ ଡକାଯାଇନଥିବା ସେମାନଙ୍କୁ ଚେଲା ଚାମୁଣ୍ଡାମାନେ କହିଛନ୍ତି । ସେମାନଙ୍କ କହିବାକଥା ହେଲା ଆଜି ପର୍ଯ୍ୟନ୍ତ ଦୁଇ ଜଣଙ୍କ ଗୋଛିକଟା କାମରେ ବ୍ୟସ୍ତଥିଲେ ଚଣ୍ଡାଶୋକ । ହେଲେ ଏବେ ନିଜେ ଦୁର୍ନୀତି ଠାରୁ ଆରମ୍ଭକରି ନାରୀ ପ୍ରୀତି ପର୍ଯ୍ୟନ୍ତ ସବୁ ପ୍ରକାର ଅଭିଯୋଗ ଗଣମାଧ୍ୟମରେ ଆସିବାପରେ ଏଥିରୁ ଉଦ୍ଧାର ପାଇବାପାଇଁ ବିଧାୟକଙ୍କ ଶରଣ ପଶିଛନ୍ତି । ସବୁକଥା ପଛରେ ପକାଇ ନିଜେ ଡାକିଛନ୍ତି । ହେଲେ ବିଧାୟକମାନେ ପୂର୍ବକଥା କେତେ ଭୁଲିବେ ତାହା ଉପରେ ଏବେ ସେମାନଙ୍କ ଚେଲାଙ୍କ ନଜର ।

ଜଣେ ବିଧାୟକଙ୍କ ଅତି ଘନିଷ୍ଠ ବନ୍ଧୁଙ୍କ ସୂଚନା ଅନୁଯାୟୀ ନିର୍ବାଚନ ସମୟରେ ଚଣ୍ଡାଶୋକ ଯାହା ତ ଗୋଛିକଟା କାମରେ ଲାଗିଲେ, ନିର୍ବାଚନ ପରେ ବି ସାଂସଦଙ୍କ ପରାଜୟ ପାଇଁ ବିଧାୟକମାନେ ଦାୟୀ ବୋଲି ଯାଇ ବିଜେଡି ମୁଖିଆଙ୍କ ନିକଟରେ ଫେରାଦ ହେଲେ । ହେଲେ ଭାଗ୍ୟ ଭଲ ମୁଖିଆ ଅସଲ କଥା ବୁଝି ନିରବ ରହିଲେ । ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲା ଭଳି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ହାରିବା ପଛରେ କିଏ ଦାୟୀ ଓ ଏଥିପାଇଁ ବିଜେପି ନେତାଙ୍କ ସହ ସଲାସୁତୁରା ହୋଇ କିଏ ଜମି ଠାରୁ ଆରମ୍ଭ କରି ତେଲଟାଙ୍କି ହାସଲ କଲା ତାହା ପଦାକୁ ଆସିବାରେ ଲାଗିଛି ତେବେ ଚଣ୍ଡାଶୋକଙ୍କ ଆଜିର ଭୋଜିଟି କିନ୍ତୁ ସବୁଠାରୁ ନିଆରା ବୋଲି କୁହାଯାଉଛି ।

ବିପଦରେ ପଡିଥିବାରୁ ପାର୍ବଣ ପୂର୍ବରୁ ନିଜର ରାବଣ ରୂପରେ ପରଦା ଢାଙ୍କିଅବାପାଇଁ ସମସ୍ତଙ୍କୁ ଡାକିଛନ୍ତି । ଭୋଜି ବି ଜମାଣିଆ ହୋଇଥିବାର ସୂଚନା ମିଳୁଛି । ଭଳିକି ଭଳି ଖାଦ୍ୟ ସହିତ ପାନୀୟର ବ୍ୟବସ୍ଥା ହୋଇଛି । ଦୁଇଦିନ ତଳେ ଗାନ୍ଦୀଜୟନ୍ତୀ ସମାବେଶରେ ଗଳାଫଟାଇ ଉପଦେଶ ଦେଉଥିବା ଚଣ୍ଡାଶୋକ କିଭଳି ପାନୀୟ ବ୍ୟବସ୍ଥା କଲେ ତାହାକୁ ନେଇ ବି ଟୁପୁରୁ ଟାପୁରୁ ଆଲୋଚନା ହେଉଛି । ତେବେ ଏଭଳି ଭୋଜିଭାତର ମାନେ କିଛି ନାହିଁ, ଯେତେବେଳେ ବିପଦକୁ ଉଦ୍ଧାର ପାଇଯିବେ ସେତେବେଳେ ପୁଣି ପୁରୁଣା ଫର୍ମୁଲାରେ ଦୁଇ ବିଧାୟକଙ୍କ ପଛରେ ପଡିବେ ବୋଲି ସେମାନଙ୍କ ସମର୍ଥକମାନେ ଖୋଲାଖୋଲି କହୁଛନ୍ତି ।

       ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )