ଭୁବନେଶ୍ୱର : ଘୋଷଯାତ୍ରାର ଅନ୍ୟତମ ଆଦ୍ୟପର୍ବ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଛି । କରୋନା ମହାମାରୀ ତାହାର କାୟା ବିସ୍ତାର କରି ଚାଲିଥିବାବେଳେ ମହାପ୍ରଭୁଙ୍କ ଏହି ନୀତିକାନ୍ତି ଅଟକି ନାହିଁ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ବିଶେଷକରି ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏକ ପ୍ରକାର ଅସମ୍ଭବ କୁହାଯାଉଥିବା ସ୍ନାନଯାତ୍ରା ସମ୍ଭବ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ଏହାକୁ ଟେଲିଭିଜନ ପରଦାରେ ଦେଖି ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏବେ ଅପେକ୍ଷା ଘୋଷ ଯାତ୍ରାକୁ । ଚଳିତମାସ ୨୩ ତାରିଖରେ ଅନୁଷ୍ଠିତ ହେବ ଘୋଷଯାତ୍ରା । ଏଥିପାଇଁ ପୁରୀ ଚଳଚଞ୍ଚଳ । ଏହାଠାରୁ ଅଧିକ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । କରୋନା କଟକଣା ମଧ୍ୟମରେ କିଭଳି ଘୋଷଯାତ୍ରା ହେବ ତାହାକୁ ନେଇ ସଂଶୟ ଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ମହାପ୍ରଭୁଙ୍କୁ ମୁଣ୍ଡିଆମାରି କାମ ଆଗକୁ ବଢାଇବାରେ ଲାଗିଛନ୍ତି । ପ୍ରାୟ ୧୦ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ରଥକାର୍ଯ୍ୟ ଏବେ ଯଥା ସମୟରେ ଚାଲିଛି । ତିନିଦିନ ପୂର୍ବରୁ ଚାରି ନାହାକା ଉଠିବା ପରେ ମହାରଣା, ଭୋଇ ସେବାୟତମାନେ ଆଶ୍ୱସ୍ତ ହୋଇଛନ୍ତି ।

