Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ନେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିରେ ମା ସମଲେଶ୍ୱରୀ, ବିରଜା, ତାରାତାରିଣୀ ଓ ନୀଳମାଧବ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ଅନୁରୋଧ କରାଯାଇ ଥିବାବେଳେ, ୪ ମନ୍ଦିରର ପରିଚାଳନା ନିମନ୍ତେ କମିଟି ଗଠନ ପାଇଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଗତକାଲି ଲିଙ୍ଗରାଜ ମନ୍ଦିରର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ,ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଏହି ଅଧ୍ୟାଦେଶ ଅନୁସାରେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଏକ ୧୫ ଜଣିଆ କମିଟି ଗଠନ କରାଯିବ। ଏହି କମିଟି ଲିଙ୍ଗରାଜ ମନ୍ଦିର ଓ ମନ୍ଦିର ସମ୍ପତ୍ତିର ପରିଚାଳନା କରିବ। ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆଇନ ପ୍ରଣୟନ ହେବା ନେଇ ଏକାମ୍ର କ୍ଷେତ୍ରର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି। ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି। ଏହି କମିଟି ନିକଟରେ ମହାପ୍ରଭୁଙ୍କ ସେବା ଓ ପୂଜା ନୀତି ସହ ମନ୍ଦିର ପରିଚାଳନା ସମ୍ପର୍କୀତ ସାଧାରଣ ଓ ସ୍ୱତନ୍ତ୍ର କ୍ଷମତା ରହିବ। ମନ୍ଦିରର ଦୈନନ୍ଦିନ କାର୍ଯ୍ୟକଳାପ ବୁଝିବା ଲାଗି ଶ୍ରୀମନ୍ଦିର ଢାଞ୍ଚାରେ ଜଣେ ପ୍ରଶାସକ ମଧ୍ୟ ନିଯୁକ୍ତି ହେବେ।ସେହିଭଳି ମନ୍ଦିରର ସ୍ଥାବର-ଅସ୍ଥାବର ସଂପତ୍ତିର ସୁରକ୍ଷା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିରର ବଜେଟ, ଆକାଉଣ୍ଟ, ଅଡିଟ୍ ସହ ମନ୍ଦିର ଜମିକୁ ମାଡ଼ିବସିଥିବା ଅନଧିକୃତ ଲୋକଙ୍କୁ ଉଚ୍ଛେଦ ଆଦି ବ୍ୟବସ୍ଥା ରହିଛି।