ନୂଆଦିଲ୍ଲୀ() ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସମ୍ପୂର୍ଣ୍ଣ ମଉଳି ଯାଇଛି । ଚଳିତ ବର୍ଷ ପୁରୀରେ ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ରଥଯାତ୍ରାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟଯେ, କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେବ ନା ହେବନିର ଦୋଛକିରେ ପ୍ରଶାସନ ଠାରୁ ସରକାର ରହିଥିଲେ । ତେବେ କାଳେ କରୋନାର ପ୍ରକୋପ କମିବ ଓ ରଥଯାତ୍ରା ହୋଇପାରିବ ସେନେଇ ଅନେକଙ୍କ ମନରେ ଆଶା ଥିଲା । ଯେଉଁଥିପାଇଁ ବିଳମ୍ବରେ ହେଲେ ମଧ୍ୟ ରଥ ନିର୍ମାଣ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇସାରିଛି । ସେବାୟତମାନେ ମଧ୍ୟ ନିଜେ ରଥ ଟାଣିବେ ବୋଲି ଦମ୍ଭୋକ୍ତି କରିଥିଲେ । ରଥଯାତ୍ରା କରିବାକୁ ପ୍ରଶାସନ ଓ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇ ଆସୁଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିସାରିଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବର୍ଷ ରଥଯାତ୍ରା ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଫଳରେ କୋଟି କୋଟି ଓଡ଼ିଆଙ୍କ ମନରେ ନୈରାଶ୍ୟ ଖେଳିଯାଇଛି ।