ପୁରୀ() ନିର୍ମାଣକାରୀମାନେ ରଥର ଗୟଳ ତିଆରିରେ ଲାଗିଛନ୍ତି । କରତି ସେବକମାନେ ତିନି ରଥର ବଡ଼ ପୋଲ ଗୟଳ ଚିରଟ କରି ରଥଖଳାରେ ପଇଠ କରିଛନ୍ତି । ବିଶ୍ୱକର୍ମାମାନେ ମାପ ଅନୁସାରେ ଚଉପଟ କରୁଛନ୍ତି । ଛନ୍ଦାଗୟଳ ଓ ଛୋଟ, ମଝିଲା ପୋଲ ଗୟଳ କାଠ ଭୋଇ ସେବକମାନେ ବୋହି ଆଣି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ବିଶ୍ୱକର୍ମାମାନେ ବାରିସିରେ ହାଣି ଏହାକୁ ଚଉପଟ କରୁଛନ୍ତି ।
ଦର୍ପଦଳନ ରଥରେ ୮ଟି ଗୟଳ(ପୋଲଗୟଳ ୪ଟି, ଛନ୍ଦାଗୟଳ ୪ଟି)ର ଲମ୍ବ ୨୧ହାତରୁ ୧୮ ହାତ । ତାଳଧ୍ୱଜ ରଥରେ ୧୨ଟି (ପୋଲଗୟଳ ୬ଟି, ଛନ୍ଦାଗୟଳ ୬ଟି)ଗୟଳ ଲାଗିଥାଏ । ଉକ୍ତ ଗୟଳ ସବୁର ଲମ୍ବ ୨୨ହାତରୁ ୧୭ ହାତ ମଧ୍ୟରେ । ନନ୍ଦିଘୋଷ ରଥରେ ୧୨ଟି ଗୟଳ (ପୋଲଗୟଳ ୬ଟି, ଛନ୍ଦାଗୟଳ ୬ଟି)ଲାଗିଥାଏ । ଗୟଳର ଲମ୍ବ ୨୩ହାତରୁ ୧୭ ହାତ ମଧ୍ୟରେ ରହିଥାଏ । ଗୟଳ ରଥରେ ଲାଗିଲେ ଏହା ଉପରେ ପଟାବାଡ଼ିଆ ହୋଇ ରଥର ଚଟାଣ ପ୍ରସ୍ତୁତ ହୋଇଥାଏ ।
ରଥଖଳାରେ ରୂପକାର ସେବକମାନେ ନାଟଗୋଡ଼ରେ ରାହୁ ମୂର୍ତ୍ତି ଖୋଦେଇ କରୁଛନ୍ତି । ଓଝା ସେବକମାନେ ଅସ୍ଥାୟୀ ଶାଳରେ ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।
ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋକା ଓ ଗୋଡ଼ିଛାଲ କଣ୍ଟା ତିଆରି ଚାଲିଛି । ଆବଶ୍ୟକତା ଅନୁସାରେ ରଥଖଳାକୁ ଲୁହା ସାମଗ୍ରୀ ଯୋଗାଉଛନ୍ତି ଓଝାସେବକ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ରଥ କାର୍ଯ୍ୟରେ ବିଶ୍ୱକର୍ମାଙ୍କୁ ସହଯୋଗ କରୁଛନ୍ତି । ଆଜି ଚକ ଡେରା ହେବାକୁ ପ୍ରସ୍ତୁତି ଚାଲିଛି ।