Odia News Portal

ରଥଖଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ() ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶନିବାର ୪୦ ତୁମ୍ବରେ ବିନ୍ଧ ଶେଷ ହୋଇଛି । ଶେଷ ୨ଟି ତୁମ୍ବରେ ବିନ୍ଧ କରାଯାଉଛି । ରଥ ଓରାରେ ବିନ୍ଧ କାର୍ଯ୍ୟ ସରିଛି । ପୋଟଳ ଓରା, ପୋଟଳ ପାରେଣି ତିଆରି ସରିଛି । ୮ଟି ଭୁଇଁ ଖମ୍ବୀ କାର୍ଯ୍ୟ ସରିଛି । ଗତକାଲି ତିନି ରଥର ଛଅ ଗୋଟି ଚକରେ ୩ଟି ଅଖ ସଂଯୁକ୍ତ ହୋଇଥିଲା । ଆଜି ପୁଣି ୯ଟି ଚକ କାର୍ଯ୍ୟ ସରିଛି । ପ୍ରତି ଦିନ ଭଳି ଆଜି ଥର୍ମାଲ ଟେଷ୍ଟିଂ ପରେ ନିର୍ମାଣକାରୀମାନେ ରଥ କାମରେ ଯୋଗ ଦେଇଥିବା ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଥିଲେ ।

ରଥଖଳାରେ ଚକ ନିର୍ମାଣ ଉପରେ ଯୋର ରହିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା (ଅର ସହିତ ତୁମ୍ବ ସଂଯୁକ୍ତ) ପ୍ରସ୍ତୁତ କରି ରଥଖଳାରେ ପହଞ୍ଚାଉଛନ୍ତି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ବିଲେଇ ବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ପିନ୍ଧାଇ ଚକ କାମ ସାରୁଛନ୍ତି । ଗୁଜ କାମ ମଧ୍ୟ ଶେଷ ପର୍ଯ୍ୟାୟରେ । ବିଶ୍ୱକର୍ମାମାନେ କାଠ କାଟି ଯୋଗାଇ ଦେବା ପରେ ରୂପକାରସେବକମାନେ ସେଥିରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି ।

ପ୍ରତି ରଥର ରହିଛି ୪ଗୋଟି ଲେଖାଏଁ ଓରା ଓ ୮ଗୋଟି ଲେଖାଏଁ ଖମ୍ବୀ । ରଥର ଭୂଇଁ ନିର୍ମାଣରେ ଖମ୍ବୀ ସବୁ ଖଞ୍ଜା ହେବ । ଓରା ମଧ୍ୟ ରଥର ଉପରିଭାଗର ଏକ ଅଂଶ । ପ୍ରଥମେ ସୂତା ମରାଗଲା ପରେ ବିନ୍ଧ କରାଯାଉଛି । କରତୀ ସେବକମାନେ ଗୟଳ ତିଆରି ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୋଳବେଦୀ ପରିସରରେ ଓଝା ସେବକମାନେ ଚକ ନିର୍ମାଣ ପାଇଁ ଅର କଣ୍ଟା, ପନ୍ଦାରୀ, ବଳା ଓ ପନ୍ଦାରୀ ଚାବି ପ୍ରସ୍ତୁତ କରି ରଥଖଳାକୁ ଯୋଗାଇ ଦେଉଛନ୍ତି ।