ଭୁବନେଶ୍ୱର() ବଙ୍ଗୋପସାଗରରେ ସକ୍ରିୟ ଅବପାତ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ଉତ୍ତର ପୂର୍ବରେ ଗତି କରିବ । ଆସନ୍ତାକାଲି ଅର୍ଥାତ ୨୩ ତାରିଖ ଅପରାହ୍ଣରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସାଗର ଦ୍ୱୀପପୁଞ୍ଜ ଓ ବାଂଲାଦେଶ ଖେପୁପଡ଼ା ମଧ୍ୟରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଏହା ପୂର୍ବରୁ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଥିଲେ ଯେ, ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ପରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆଜି ଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ । ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି । ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ । ବିଶେଷ କରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ । ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବାକୁ ଥିବାବେଳେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।