ଭୁବନେଶ୍ୱର – ଓଡିଶା ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ଭାଗ ଅର୍ଥାତ ଏକ ତୃତୀଂଶ ସ୍ଥାନ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏଥିପାଇଁ ଆଜି ଏକ ସଂକଳ୍ପ ଆଗତ କରିଛନ୍ତି । ଏହାକୁ ଗୃହରେ ସର୍ବସମତି କ୍ରମେ ଗୃହୀତ କରିବାପାଇଁ ମୁଖ୍ୟମନ୍ତ୍ରୀ ବିରୋଧି ଦଳ ସଦସ୍ୟ ମାନଙ୍କୁ ନିବେଦନ କରିଛନ୍ତି । ସବୁ କ୍ଷେତ୍ରରେ ରାଜ୍ୟର ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିବାରୁ ସେ ଏଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବିଧାନସଭାରେ ଏହି ସଂକଳ୍ପ ଗୃହୀତ ହେବା ପରେ ତାହା କେନ୍ଦ୍ରକୁ ପଠାଯିବ ଏବଂ କେନ୍ଦ୍ରରୁ ଅନୁମୋଦନ ମିଳିବା ପରେ ରାଜ୍ୟରେ ତାହା କାର୍ଯ୍ୟକାରୀ କରାଯିବ ।