ଭୁବନେଶ୍ୱର (ସ୍ୱାଧିକାର ବ୍ୟୁରୋ ) ନିଷ୍ପତି ନେବାରେ ଧୁରନ୍ଧର ନବୀନ । କରୋନା ପ୍ରଭାବିତ ପରିବାରଙ୍କ ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ । କରୋନା ସମୀକ୍ଷା ବୈଠକରେ କଠୋର ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କରୋନା ଲଢ଼େଇ ଲଢ଼ୁଛି ଓଡିଶା । ଆଉ ଏହି ଅଦୃଶ୍ୟ ଯୁଦ୍ଧରେ ସହୀଦ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । କରୋନାରେ ବାପା ମା ଙ୍କୁ ହରାଇ ଅନାଥ ହୋଇଥିବା କିମ୍ବା ସ୍ୱାମୀଙ୍କୁ ହରାଇ ବିଧବା ହୋଇଥିବା ପ୍ରଭାବିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୫ ଦିନ ମଧ୍ୟରେ ସେମାନଙ୍କୁ ଚିହ୍ନଟ କରି ମଧୁବାବୁ ପେନସନ ଯୋଜନାରେ ଭତ୍ତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କରୋନାର କଳାବାଦଲ ଅନେକ ପରିବାରକୁ ଛାରଖାର କରି ପକାଉଥିବା ବେଳେ ଅସହାୟ ପରିବାରଙ୍କ ପାଇଁ ସାହାରା ହୋଇଛନ୍ତି ନବୀନ ସରକାର । …ଖାଲି ସେତିକି ନୁହେଁ, ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ ସମସ୍ତଙ୍କୁ ୩ ମାସ ପାଇଁ ଆଗୁଆ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପେଟପାଟଣା ଉପରେ ଯେତିକି ପ୍ରଭାବ ପକାଇଛି ଭତ୍ତା ଉପରେ ନିର୍ଭରଶୀଳ ପ୍ରତିଟି ଲୋକଙ୍କୁ ରସାତଳକୁ ନେଇ ଯାଇଛି । କିଏ ଓଳିଏ ଖାଇଲେ ଆରଓଳି ଉପାସ ପଡୁଛି । ତା ଉପରେ ଭାରି ପଡୁଛି ଲକ୍ ଡାଉନ । ସଂକ୍ରମଣ କମାଇ ଜୀବନ ବଂଚାଇବାକୁ ସରକାର ସିନା ଏତେବଡ ନିଷ୍ପତି ନେଇଛନ୍ତି କିନ୍ତୁ ଲୋକଙ୍କ ଦୁଃଖ କେମିତି ବା ସହିପାରନ୍ତେ ନବୀନ? ଓଡିଆଙ୍କ ଆଖିରୁ ଲୁହ ଗଡିଲେ ଯାହାର ଅନ୍ତର କାନ୍ଦି ଉଠେ ସେଇ ନବୀନ ପେନସନଧାରୀଙ୍କ ଦୁଃଖ ବୁଝିଛନ୍ତି ।
କରୋନା ଏବେ ଡାଉନ ଟ୍ରେଣ୍ଡରେ ଚାଲିଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସି ସ୍ୱାଭାବିକ ହେବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର । ତଥାପି ତୃତୀୟ ଲହରରେ ଶିଶୁଙ୍କୁ କରୋନା ଆକ୍ରାନ୍ତ କରିବା ପୂର୍ବରୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବ୍ଲାକ୍ ଫଙ୍ଗସ ପ୍ରତି ସତର୍କ ରହିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ଭିତରେ ଆଇସିୟୁ ଉପରେ ଚାପ କମୁଥିବା ବେଳେ ଅକ୍ସିଜେନ କନଜପସନ ମଧ୍ୟ କମିବାରେ ଲାଗିଛି । ଯାହା ପୁରା ରାଜ୍ୟ ପାଇଁ ଏବେ ଆଶ୍ୱସ୍ତି ଆଣି ଦେଇଛି ।