Odia News Portal

ସକ୍ରିୟ ହେଉଛି ମୌସୁମୀ

ଭୁବନେଶ୍ୱର: ମୌସୁମୀ କେରଳ ଛୁଇଁବା ପରେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ତେବେ ଆସନ୍ତା ୧୦ ତାରିଖ ଆଡ଼କୁ ଓଡ଼ିଶାରେ ମଧ୍ୟ ସକ୍ରିୟ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଜୁନ୍ ୧୦ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା କମ୍ ରହିଛି। କାରଣ ଆକଳନ କରାଯାଉଛି ଯେ ଜୁନ୍ ୯ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳ ଓ ଆଭ୍ୟନ୍ତରରେ ଗରମ ଜାରି ରହିବ। ଜୁନ୍ ୭ରୁ ୯ ତାରିଖ ଭିତରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ରୁ ୪୧ ଡିଗ୍ରି ରହିବ। ଭୂ-ବିକିରିତ ଦୀର୍ଘ ତରଙ୍ଗ ରଶ୍ମି ଅଧିକ ରହିବା ସହ ଉତ୍ତର-ପଶ୍ଚିମା ପବନ ବହିବ। ତେବେ ୧୧ ତାରିଖରୁ ଏସବୁର ପରିବର୍ତ୍ତନ ଘଟି ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବହିବ ଏବଂ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ କମି ଯାଇପାରେ। ଓଡ଼ିଶା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିଦର୍ଭରେ ମଧ୍ୟ ଭୀଷଣ ବର୍ଷା ହେବ। ଏହାସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ହେବାର ଆକଳନ କରାଯାଉଛି। ଏହା ଯଦି ହୁଏ, ୧୫ ସୁଦ୍ଧା କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁବ।