Odia News Portal

ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହ ପରିଚିତ କରାଇବା ନିମନ୍ତେ ପାଠଶାଳାର ଆୟୋଜନ

ଭୁବନେଶ୍ୱର () ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି ।

କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି । ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଦୃଶ୍ୟମାନ ଅଗ୍ରଗତି ଲାଭ କରିଛି ଏବଂ କେତେକ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି । ଯେଉଁଥିପାଇଁ ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି । ଏଥିସହିତ କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ରାଜ୍ୟ “Commendation” ଆୱାର୍ଡ ଲାଭ କରିଛି ।
କୃଷିକ୍ଷେତ୍ରରେ ରାଜ୍ୟ କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ସହିତ ରାଜ୍ୟର କୃଷକ ମାନଙ୍କୁ କୃଷିକ୍ଷେତ୍ରରେ  ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ “କୃଷି ଓଡିଶା” ଆୟୋଜନ କରାଯାଉଛି ।

ଜାନୁଆରୀ ୨୦ ରୁ ୨୪ ତାରିଖ ପର୍ୟ୍ୟନ୍ତ ଜନତା ମୈଦାନରେ ଆୟୋଜିତ ହେଉଥିବା ୫ ଦିନିଆ “କୃଷି ଓଡିଶା”କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦ ତାରିଖ ପୂର୍ବାହ୍ନ ୧୧.୪୫ ମିନଟ ରେ ଶୁଭ ଉଦଘାଟନ କରିବେ । ସେହିପରି ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ।

ଚଳିତ ବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି ।

କୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ୨୨୮ ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ ଟି କମ୍ପାନୀ ଯୋଗଦେବେ । ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ୟ୍ୟନ୍ତ ଏହି ଆଲୋଚନା ଚକ୍ରର ଆୟୋଜନ କରାଯିବ ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେବେ ।