Odia News Portal

ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ

ଧର୍ମଶାଳା: ମାଫିଆ ପୋଷୁଛି ପ୍ରଶାସନ! ବିବାଦରେ ଯାଜପୁର ଜିଲ୍ଲା ପ୍ରଶାସନ । ଖୋଲୁଛି ଟେଣ୍ଡର ଫିକ୍ସିଂର ଗୁମର । ବହୁଚର୍ଚ୍ଚିତ ଧର୍ମଶାଳା ମୂଲ୍ୟବାନ ଖଣିଖାଦାନର ଟେଣ୍ଡର ବାତିଲ କରି ଜିଲ୍ଲା ପ୍ରଶାସନ ଯେଉଁ ଖେଳ ଖେଳିଛି ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଭଲଭାବେ ଦେଖନ୍ତୁ ଏହି ସରକାରୀ ଚିଠିକୁ । ତାରିଖ ୨୯ ଅପ୍ରେଲ ୨୦୨୧ । ଚିଠି ନମ୍ବର ୧୭୫୨ । ତ୍ରିନାଥ ଜେନାଙ୍କୁ ରାହାଡପୁର ଖାଦାନ ପାଇଁ ନେଗୋସିଏସନ ପାଇଁ ଡାକିଛନ୍ତି ଧର୍ମଶାଳା ତହସିଲଦାର । ଆଉ ୧୦ ମେ ୨୦୨୧ରେ ତ୍ରିନାଥ ଜେନାଙ୍କୁ ଲେଖାଯାଇଥିବା ଆଉ ଏକ ଚିଠିରେ ଉଲ୍ଲେଖ କରାଯାଇଛି, ତ୍ରିନାଥ ହେଉଛନ୍ତି ସକସେସଫୁଲ ବିଡର ।

ରାହାଡପୁର ଖଣି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ତ୍ରିନାଥଙ୍କୁ ସକସେସଫୁଲ ବିଡର ଭାବେ ଘୋଷଣା କରିଛି ଧର୍ମଶାଳା ତହସିଲ । ତେବେ ମାତ୍ର ୭ ଦିନ ପରେ ବଦଳିଯାଇଛି ତହସିଲଦାରଙ୍କ ନିର୍ଦ୍ଦେଶ । ସଫଳ ବିଡରଙ୍କ ପାଖକୁ ଖାଦାନ ଟେଣ୍ଡର ବାତିଲ ନେଇ ୧୭ ମେ ରେ ଆସିଲା ନୋଟିସ । ତିନି ତିନଟି ଚିଠିକୁ ଫୁଲସ୍କ୍ରିନରେ ଦେଖିବାକୁ ଚେଷ୍ଟା କରନ୍ତୁ । ଏବେ ଏହା ପଛରେ କିଭଳି ଷଡଯନ୍ତ୍ର କାମ ହୋଇଛି ଚାଲନ୍ତୁ ନଜର ପକାଇବା ।

ହୋଇପାରିଲାନି କି ମୁଲଚାଲ? ସମ୍ଭବ ହେଲାନି କି ଭାଗବଣ୍ଟା? କାହିଁକି ବିନା କାରଣରେ ଜିଲ୍ଲାସ୍ତରୀୟ କମିଟି ବାତିଲ କଲା ଧର୍ମଶାଳାର ଖାଦାନ ଟେଣ୍ଡର । ଏ ପ୍ରଶ୍ନର ଉତ୍ତର ଏଇ ଗୋଟିଏ ଚିଠିରେ ରହିଛି । ଭଲଭାବେ ଦେଖନ୍ତୁ ଏହି ଦସ୍ତାବିଜକୁ । ତାରିଖ ୧୩ ମେ ୨୦୨୧ । ସ୍ଥାନ- ଯାଜପୁର ଜିଲ୍ଲାପାଳଙ୍କ ପ୍ରକୋଷ୍ଠ । ଖୋଦ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଡିଏମ, ସବ କଲେକ୍ଟର ଓ ଡେପୁଟି କଲେକ୍ଟରଙ୍କୁ ନେଇ ବସିଲା ବୈଠକ । ଧର୍ମଶାଳା ତହସିଲ ସୈରାତ ସେଟଲମେଂଟ ପାଇଁ ବସିଥିବା ଏହି ବୈଠକ ଯେ ଅନାବଶ୍ୟକ ତାର ପ୍ରମାଣ ବି ରହିଛି ସ୍ୱାଧିକାର ନ୍ୟୁଜ ପାଖରେ । ଏବେ ପଢ଼ିବାକୁ ଚେଷ୍ଟା କରନ୍ତୁ ଏହି ବୈଠକରେ କଣ ପ୍ରୋସେଡିଂ ହୋଇଛି । ୨୨ ଏପ୍ରିଲ ୨୦୨୧ରେ ଚିଠି ନମ୍ବର ୧୩୪୪୭ରେ ରାଜସ୍ୱ ବିଭାଗରୁ ଲେଖା ଯାଇଥିବା ଚିଠିରେ ଯାଜପୁର ଜିଲ୍ଲାପାଳଙ୍କୁ କ୍ଲାରିଫିକେସନ ମଗାଯାଇଥିବା ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଯାହାର ସରଳ ସମାଧାନ ପାଇଁ ଏକାଠି ହୋଇଥିଲେ ୪ଜଣ ଯାକ ବରିଷ୍ଠ ରାଜସ୍ୱ ଅଧିକାରୀ । ଆଉ ଏହି ବୈଠକରେ ଧର୍ମଶାଳା ତହସିଲର ଖାଦାନ ଟେଣ୍ଡରକୁ ବାତିଲ କରାଯାଇଥିବା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଏବେ ଦେଖନ୍ତୁ ୨୨ ଏପ୍ରିଲ ୨୦୨୧ରେ ଚିଠି ନମ୍ବର ୧୩୪୪୭ରେ କିଏ କାହାକୁ ଚିଠି ଲେଖିଥିଲେ । ଏ ଚିଠି ଥିଲା ରାଜସ୍ୱ ବିଭାଗର ଡେପୁଟି ସଚିବଙ୍କ ପାଖରୁ କେନ୍ଦୁଝର ଜିଲ୍ଲାପାଳଙ୍କ ପାଖକୁ । ଓଏଏମସି ରୁଲ ଅନୁସାରେ କେନ୍ଦୁଝର ଜିଲ୍ଲାପାଳଙ୍କୁ କଣ କରିବାକୁ ପଡିବ ତାହା ପରାମର୍ଶ ଦେଇଥିଲେ ଡେପୁଟି ସଚିବ । ଯାହାର ଯାଜପୁର ବା ଧର୍ମଶାଳା ଖାଦାନ ସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ନିଜ କ୍ଷମତାର ଅପବ୍ୟବହାର କରି ଟେଣ୍ଡର ପ୍ରକ୍ରିୟାକୁ ଯେନତେନ ପ୍ରକାରେଣ ବାତିଲ କରିବାକୁ ଚାହୁଁଥିବା ଅଧିକାରୀମାନେ ଏହି ଉଡନ୍ତା ଚିଠିକୁ ନିଜର ବୋଲି ଦାବି କଲେ । ଅନାବଶ୍ୟକ ଭାବେ ବୈଠକ କରି ଟେଣ୍ଡର ସବୁକୁ ବାତିଲ କଲେ । ତେବେ ଜିଲ୍ଲାପାଳଙ୍କ ମୁଣ୍ଡରେ ଏ ଭୁତ କିଏ ପୁରାଇଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଏବେ ପ୍ରଶ୍ନ ଉଠିଛି, ଯଦି ୨୨ ଏପ୍ରିଲର ଚିଠି ଜିଲ୍ଲାପାଳଙ୍କୁ ମିଳିଥିଲା ତେବେ ୨୮ ଏପ୍ରିଲରେ ଫର୍ମ ଏଫ୍ ଇସ୍ୟୁ କରିବାକୁ କୁହାଯାଇଥିଲା କାହିଁକି ? ୨୯ ଏପ୍ରିଲରେ ତ୍ରିନାଥ ଜେନାଙ୍କୁ ନେଗୋସିଏସନ ପାଇଁ ତହସିଲଦାର ଡାକିଥିଲେ କାହିଁକି ? ଯଦି ମେ ୧୩ରେ ଜିଲ୍ଲାସ୍ତରୀୟ ବୈଠକ କରିବାର ଥିଲା ତେବେ ୧୦ ମେ ରେ ତ୍ରିନାଥଙ୍କୁ ସକସେସଫୁଲ ବିଡର ଭାବେ ଘୋଷଣା କରାଯାଉଥିଲା କାହିଁକି ? ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରିବା ପଛରେ କାହାର କେଉଁ ହାତ ରହିଛି ? ସବୁଠୁ ବଡକଥା ହେଲା, କେନ୍ଦୁଝର ଜିଲ୍ଲାପାଳଙ୍କୁ କ୍ଲାରିଫିକେସନ ମଗାଯାଇଥିବା ବେଳେ ଯାଜପୁର ଜିଲ୍ଲାପାଳ ଏତେ ବ୍ୟସ୍ତ ହୋଇ ଉପରେ ପଡି ପଦକ୍ଷେପ ନେବା ପଛରେ କି ସ୍ୱାର୍ଥ ରହିଛି ? ଗୋଟିଏ ପରେ ଗୋଟିଏ ଚିଠି ଦେଖାଇଲୁ ଆମେ, ଏବେ ଯାଜପୁରର ଜାଲିଆ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।