ଗଞ୍ଜାମ: ଲକଡାଉନରେ ବେଆଇନ ଭାବେ ଦୁଇ ଭାଇ ମିଶି ଚଳାଇଥିଲେ ଗୁଟଖା କାରଖାନା । ମାଡ଼ି ବସିଲା ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦଶେଇପୁର ଗାଁରେ ଚାଲିଥିଲା ଏହି ଗୁଟଖା କାରଖାନା । ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇ ପୁଅ ରିଙ୍କୁ ଓ ପିଙ୍କୁ ଏହି କାରଖାନା ଚଳାଉଥିଲେ । ସେମାନଙ୍କୁ ପୋଲିସ ଗିରଫ କରିବା ସହ ଗୁଟଟା ତିଆରି ନିମନ୍ତେ କଞ୍ଚାମାଲ ଓ ମେସିନ ଜବତ କରିଛି ।

ପାଟପୁର ଥାନା ଅଧିକାରୀ ସବ୍ୟସଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଅବସରରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମଚାରୀ ମାନେ ଗୁଟଖା ସାମଗ୍ରୀ ଓ ପୁଡ଼ିଆ ମେସିନ ଜବତ କରି ୪ଟି ପିକଆପ ଭ୍ୟାନ୍ ସାହାଯ୍ୟରେ ଲୋଡ କରି ଥାନାକୁ ଆଣିଥିଲେ ।

ଲକଡାଉନରେ ଗୁଟଖାର ଆଦାନ ପ୍ରଦାନ ନ ହେବାରୁ ଦୋକାନୀମାନେ ଚଢାଦରରେ ଗ୍ରାହକଙ୍କୁ ଲୁଟୁଥିଲେ । ଏହାର ଫାଇଦା ନେଇ ଓ ପ୍ରଚୁର ଅର୍ଥ ଲାଳସାରେ ଦୁଇଭାଇ ମିଶି ଉକ୍ତ ଅଞ୍ଚଳରେ ରହିଥିବା ନିଜ ଘରେ ମେସିନ ସାହାଯ୍ୟରେ ନକଲି ଗୁଟଖା ପ୍ରସ୍ତୁତି କରି ଆଖପାଖ ଅଞ୍ଚଳ ଦୋକାନୀଙ୍କୁ ବିକ୍ରି କରୁଥିଲେ । ଏପରିକି ସେମାନେ ଗଞ୍ଜାମ , ଗଜପତି ଏବଂ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଗୁଟଖା ଯୋଗାଇବାରେ ଚେର ଲମ୍ବାଇଥିବା ଜଣାପଡିଛି ।