Odia News Portal

ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର() ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି । ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ବାହାରୁ ଫେରୁଥିବା ଓଡ଼ିଆଙ୍କୁ ଧୈର୍ଯ୍ୟ ଧରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଛନ୍ତି । ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ଓଡ଼ିଶା ଫେରିଥିବା ପ୍ରବାସୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ବି ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି । ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କରିପାରିବା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହା ପୂର୍ବରୁ କ୍ୱାରେଣ୍ଟାଇନ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଓଡ଼ିଶା ଫେରୁଥିବା ଓ ଫେରିଥିବା ପ୍ରବାସୀଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିବା ସହ କ୍ୱାରେଣ୍ଟାଇନ ନିୟମକୁ ମାନିବାକୁ ଅପିଲ କରିଥିଲେ ।

ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ନିଜ ଓ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟାଇନରେ ରହି ନିୟମ ମାନନ୍ତୁ । ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।