Odia News Portal

ଟିକାକରଣ ନେଇ ବାଉଳା କରୁଛି ବିଏମ୍‌ସିି

ବାଚାଳାମି ଦୋଷ

ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ଲୋକଙ୍କୁ ବାଉଳା କରୁଛି ବିଏମ୍‍ସି । କେତେବେଳେ କହୁଛି ସ୍ଲଟ ଖୋଲିବ ବୁକିଂ କର ତ ଆଉ କେତେବେଳେ କହୁଛି ବିନା ବୁକିଂରେ ଆସ । ଗୋଟିଏ ପଟେ ଟିକା ଅଭାବ କଥା କହୁଥିବାବେଳେ ଅନ୍ୟପଟେ ରାସ୍ତାଘାଟ ବୁଲି ଲୋକଙ୍କୁ ଟିକା ଫୋଡି ଫଟୋ ଉଠାଉଛି । ଏଭଳି ଅବସ୍ଥା ଦେଖି ସ୍ମାର୍ଟସିଟିବାସୀ ଏବେ ବିଏମ୍‌ସି କତ୍ତପକ୍ଷଙ୍କ ବାଚାଳାମି ଦୋଷ ବାହାରିଲାଣି ବୋଲି କହିବାକୁ ପଛାଉ ନାହାନ୍ତି ।

କରୋନାରୁ ବର୍ତ୍ତିବା ପାଇଁ ସମସ୍ତେ ଏବେ ଟିକା ନେବାକୁ ବ୍ୟାକୁଳ । ଯେବେଠାରୁ ଯୁବବର୍ଗଙ୍କ ପାଇଁ ଟିକାଦାନ ଆରମ୍ଭ ହେଲାଣି ସେବେଠାରୁ ଭିଡ । ତେବେ ଯେବେଠୁ ବିଏମ୍‌ସି ଟିକାଦାନ ସ୍ଲଟ ବୁକିଂରେ ମୁଣ୍ଡ ପୂରାଇଲାଣି ସେବେଠାରୁ ନାଟକ ଆରମ୍ଭ ହୋଇଛି । ବିଏମ୍‌ସି ପକ୍ଷରୁ ଦୁଇ ଦୁଇ ଥର ରଙ୍ଗୀନ ପୋଷ୍ଟର ବିଜ୍ଞାପନ ଦିଆଗଲା । କୁହାଗଲା ସ୍ଲଟ ଖୋଲିଲା ବୁକିଂ କରି ଟିକା ନିଅ । ସାଧାରଣ ଲୋଙ୍କ ଠାରୁ ସାମ୍ବାଦିକଙ୍କ ପର୍ଯ୍ୟନ୍ତ ସମସ୍ତେ କାମଦାମ ଛାଡି ସ୍ଲଟ ବୁକିଂ କରିବାକୁ ଛକି କି ରହିଲେ । ହେଲେ ନିମିଷକେ ସବୁ ଶେଷ । ଅଧିକାଂଶ ସାଇଟ୍ ବି ଖୋଲି ପାରିଲେ ନାହିଁ ।

ଋଙ୍ଗିନ ପୋଷ୍ଟର ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ପାଣି ପିଆଇବା ପରେ ଏବେ ପୁଣି ବିନା ସ୍ଲଟରେ ଟିକା ଦିଆଯିବ ବୋଲି ବିଜ୍ଞାପନ ଦେଇଛନ୍ତି । ଏହା କେବଳ ଦ୍ୱିତୀୟ ଡୋଜ୍ ଅପେକ୍ଷାରତଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯଦି ବିନା ସ୍ଲଟ ବୁକିଂରେ ଟିକା ଦିଆଯାଇ ପାରିବ ତେବେ ଦୁଇ ଦୁଇ ଥର ବିଜ୍ଞାପନ ଦେଇ ହଇରାଣ କରିବାର ଆବଶ୍ୟକ କ’ଣ ଥିଲା । ଏବେ ବିନା ବୁକିଂରେ କିଭଳି ଲୋକେ ସୁରକ୍ଷିତ ଉପାୟରେ ଟିକା ନେବେ ସେହି ଚିନ୍ତାରେ ଅଛନ୍ତି । କାରଣ ଗୋଟିଏ ଗୋଟିଏ ଟିକା କେନ୍ଦ୍ରରେ ଅହେତୁକ ଭିଡ ଜମିବାରେ ଆଶଙ୍କା ସୃଷ୍ଟି ହେଲାଣି ।

ଏଣେ ଟିକା ନାହିଁ ନାହିଁ ବୋଲି ରଡି ଚାଡୁଥିବାବେଳେ ତେଣେ କିନ୍ତୁ ନିଜକୁ ପ୍ରଚାରିତ କରିବାପାଇଁ ବିଭିନ୍ନ କେନ୍ଦ୍ରକୁ ଯାଇ ଟିକାଦାନ ଚଳାଇଛନ୍ତି । ଯେଉଁମାନଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଉଛି ସେମାନଙ୍କ ପାଇଁ ଦ୍ୱିତୀୟ ଡୋଜ ମିଳିବ କି ନାହିଁ ସନ୍ଦେହ । ତେବେ ରାଜ୍ୟ ସରକାର ଏଭଳି ନିରାଶ୍ରୟ, ଭିକ୍ଷୁକ ଓ ଅସହାୟମାନଙ୍କୁ ଟିକା ଦେବାପାଇଁ ଘୋଷଣା କରିଛନ୍ତି ନା ବିଏମ୍‌ସି କର୍ତ୍ତୃର୍ୃପକ୍ଷ ନିଜ ଆଡୁ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ରାଜ୍ୟ ସରକାର କିମ୍ବା ସ୍ୱାସ୍ଥ୍ୟ ପ୍ରଶାସନ ଏଭଳି ନିଷ୍ପତି ସଂକ୍ରାନ୍ତରେ ଘୋଷଣା କରିବାକଥା । ହେଲେ ତାହା ନକରି ବିଏମ୍‌ସି ଏବେ ନିଜର ପ୍ରଚାର ପ୍ରସାର ପାଇଁ ନିଇତି ନୂଆ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରିବାରେ ଲାଗିଛି ।

ପ୍ରଥମେ ଟୋକନ ବାଣ୍ଟିଲେ । ଟୋକନରେ କେଳେଙ୍ଗାରୀ ହେବାରୁ ସ୍ଲଟ ବୁକିଂ କାମ ହାତକୁ ନେଲେ । ସେଥିରେ ସବୁଆଡୁ ସମାଲୋଚିତ ହେବାପରେ ଏବେ ବିଭିନ୍ନ ସ୍ଥାନକୁ ଯାଇ ଟିକା କରଣ ସହିତ ବିନା ସ୍ଲଟ ବୁକିଂରେ ଟିକା ଦେବାପାଇଁ ଘୋଷଣା କରିଛନ୍ତି । ଆଗକୁ ଆଉ କି ଘୋଷଣା ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । ତେବେ ଏହି କାମ କ’ଣ ବିଏମ୍‌ସିର ନା ସ୍ୱାସ୍ଥ୍ୟ ବିଭାଗର ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ଉଠିଲାଣି ।