ଭୁବନେଶ୍ୱର: ଗ୍ରୀନ୍ କରିଡରରେ ଗୁରୁତର ଅମ୍ରିତଙ୍କୁ ନିଆଗଲା ବିମାନବନ୍ଦର । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅମ୍ରିତଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଛି । ଏମ୍ସ ହସ୍ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ୟ୍ୟନ୍ତ ପୁଲିସ ପକ୍ଷରୁ କରାଯାଇଛି ଗ୍ରୀନ୍ କରିଡର । ବିମାନବନ୍ଦରରେ ପହଞ୍ଚିବା ପରେ ପରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯିବ। ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଛନ୍ତି ୬ ଜଣିଆ ଡାକ୍ତରୀ ଦଳ ।
କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ସୋଶାଲ ମିଡିଆରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି । ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କ ଚିକିତ୍ସା ପାଇଁ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ କୋଟିଏରୁ ଅଧିକ ଟଙ୍କା ଦରକାର।