ଭୁବନେଶ୍ବର () ରାଜ୍ୟରେ ଅନୁଷ୍ଠିତ ଦୁଇଟି ଉପନିର୍ବାଚନରେ ବିଜେଡି ବାଜିମାତ୍ କରିବାପରେ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଛାୟା ଯୁଦ୍ଧ । ବିଜେଡି ନେତାମାନେ ବିଜୟ ଶ୍ରେୟ ନେବାପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାବେଳେ ପରାସ୍ତ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ଏବେ ପରସ୍ପରର ଗୋଚ୍ଛି କାଟିବାରେ ବ୍ୟସ୍ତ । ସୋସିଆଲ ମିଡିଆରେ ଏଭଳି ଯୁଦ୍ଧ ଏବେ ନିର୍ବାଚନୀ ତାତିକୁ ବଳି ଗଲାଣି ।
ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ର୍ନିବାଚନ ସରିବାପରେ ବିଜେଡିର ଦୁଇ ପ୍ରାର୍ଥୀ ଜିଣିଛନ୍ତି । ଏହି ନିର୍ବାଚନରେ ବିଜେଡିକୁ ଡବଲ ଲାଭ ହୋଇଛି । ନିଜର ତିର୍ତ୍ତୋଲ ଆସନ ସହିତ ବିଜେପି ହାତରୁ ବାଲେଶ୍ୱର ଛଡାଇ ଆଣିଛି । ଦଳର ଯୁବ ନେତାମାନେ ଏଥର ନିର୍ବାଚନର ମଙ୍ଗ ଧରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ଓ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଭୋଟ ହାତେଇଛନ୍ତି ବିଜେଡିର ଏହି ନେତାମାନେ । ମୁଖ୍ୟମନ୍ତ୍ରୀ ବି ଭର୍ଚୁଆଲ ପ୍ରଚାରରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ତେବେ ପ୍ରାର୍ଥୀ ଜିଣିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଯେତିକି ଧନ୍ୟବାଦ ଦେଉନାହାନ୍ତି ତାହାଠାରୁ ଅଧିକ କିଭଳି ନିଜର ସଫଳତା ଆଡକୁ ଲୋକଙ୍କ ଆକର୍ଷଣ କରିବେ ସେଥିପାଇଁ ଲାଗି ପଡିଛନ୍ତି । ଏପରିକି ଯେଉଁ ସ୍ଥାନରେ ବିଜେଡି ପ୍ରାର୍ଥୀ କମ୍ ଭୋଟ ପାଇଛନ୍ତି ସେଠାକାର ଦାୟିତ୍ୱରେ ଥିବା ଦଳୀୟ ନେତାମାନେ ଆଗତୁରା ତାଙ୍କ ଯୋଗୁଁ ବିଜେଡି ଜିଣିଛି ବୋଲି ନିଜ ନିଜ ସମର୍ଥକଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ ରଙ୍ଗୀନ ଫଟୋ ଛାଡୁଛନ୍ତି । ବାଲେଶ୍ୱରରେ ତ ବିଜେଡି ଜିଣିଥିଲେ ମଧ୍ୟ କାହିଁକି ଭୋଟହାର ବଢିଲାନି ତାହାକୁ ନେଇ ବିଜେଡି ନେତାମାନେ ଛଦ୍ମନାମରେ ପରସ୍ପର ବିରୁଦ୍ଧରେ ସୋସିଆଲ ମିଡିଆ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି ।
ତେବେ ସବୁକୁ ବଳିଯାଇଛି ବିଜେପି ଓ କଂଗ୍ରେସର ସୋସିଆଲ ମିଡିଆ ଯୁଦ୍ଧ । ଦଳର ତୁଙ୍ଗ ନେତାଙ୍କୁ ସୋସିଆଲ ମିଡିଆରେ କର୍ମୀମାନେ ମନଇଚ୍ଛା ଗାଳି ମନ୍ଦ କରୁଛନ୍ତି । ଅବସ୍ଥା ଏପରି ହୋଇଛି ଯେ ଏବେ ଗାଳିଫଜିତର ମୁକାବିଲା ପାଇଁ ବଡ ନେତା ବି ଅଌକ୍ଷଗ୍ଧ;ା ଭିଡିଲେଣି । ବିଜେଡିର ଆଗଧାଡିର ନେତାଙ୍କ ପାଇଁ ଏବେ ସୋସିଆଲ ମିଡିଆ ଏକ ପ୍ରକାର କାଳ ହୋଇଛି । ବିଶେଷକରି ଓଡିଶାରେ ମଙ୍ଗ ଧରିଥିବା ନେତାମାନଙ୍କୁ ହାରିବା ନେଇ ସୋସିଆଲ ମିଡିଆରେ ପ୍ରଶ୍ନବାଣ ଛାଡୁଛନ୍ତି ସାଧାରଣ ଜନତା ଓ କର୍ମୀ । ମଉକା ଦେଖି ବିରୋଧିମାନେ ବି ପରଦା ପଛରେ ରହି ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।
କଂଗ୍ରେସ ଅବସ୍ଥା ବି ତଦ୍ରୁପ । ଦଳର ବିଧାୟକମାନେ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଦଳୀୟ ନେତାଙ୍କ ବିରୁଦ୍ଧରେ ଗର୍ଜୁୁଥିବାବେଳେ କଂଗ୍ରେସ କର୍ମୀମାନେ ଅତ୍ୟନ୍ତ କଟୁ ଭାଷାରେ ନେତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେବାରେ ଲାଗିଛନ୍ତି । କିଏ ଇସ୍ତଫା ଦାବି କଲାଣି ତ ଆଉ କିଏ ନେତା ବିକ୍ରି ହୋଇଗଲେଣି ବୋଲି କହିବାକୁ ବି ପଛାଉ ନାହାନ୍ତି । ନେତା ବିକ୍ରି ଠାରୁ ଆରମ୍ଭ କରି ଭୋଟ ବିକ୍ରି ପର୍ଯ୍ୟନ୍ତ ବିଭିନ୍ନ ଗଟଣାରେ କର୍ମୀମାନେ ନେତାଙ୍କୁ ସୋସିଆଲ ମିଡିଆରେ ତାସôଲ୍ୟ କରୁଛନ୍ତି ।
ତେବେ ନିର୍ବାଚନ ପରେ ପରେ ସୋସିଆଲ ମିଡିଆରେ ଯେଉଁ ସମାଲୋଚନା ଓ ଶ୍ରେୟ ନେବାର ପ୍ରତିଯୋଗିତା ଚାଲିଛି ସେଥିରେ ଅନେକ ନେତା ପରଦା ପଛରେ ରହି ବିରୋଧିଙ୍କୁ ନିପାତ କରିବା କାମରେ ଲାଗିଛନ୍ତି । ବିଶେଷକରି ଯେଉଁମାନେ ବିନା ପରିଶ୍ରମରେ ଶ୍ରେୟ ନେବାକୁ ଉଦ୍ୟମ ଚଳାଉଛନ୍ତି ଓ ଯେଉଁମାନେ ନିଜ ଦୋଷକୁ ଅନ୍ୟ ମୁଣ୍ଡରେ ଲଦୁଛନ୍ତି ସେମାନଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଏକ ପ୍ରକାର ଯୁଦ୍ଧ ଭଳି ସ୍ଥିତି ଉପୁଜିଛି ।