ଭୁବନେଶ୍ୱର() ଶାସକ ବିଜୁ ଜନତା ଦଳ ଉପନିର୍ବାଚନ ହୋଇଥିବା ଦୁଇଟି ଆସନ ହାତେଇ ଡବଲ ଲାଭରେ ଥିବାବେଳେ ଦଳର ଯୁବନେତାମାନେ ଯେ ନିର୍ବାଚନ ପରିଚାଳନାରେ ବେଶ୍ ପରିପକ୍ୱ ତାହା ପ୍ରମାଣ କରିଦେଇଛନ୍ତି । ଏଥିରୁ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆୟୁଧ କରି ବିଜେଡି ରଥକୁ ଏବେ ଦଳର ଯୁବନେତାମାନେ ଟାଣିବାକୁ ସକ୍ଷମ । ଉପ ନିର୍ବାଚନ ଫଳାଫଳ ପରେ ଦଳୀୟ କର୍ମୀମାନେ ଏହା ଖୋଲାଖୋଲି କହିଛନ୍ତି । ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଏଥର ବିଜୟଲାଭ କରିବା ସହିତ ଗତଥରର ଭୋଟ ଦୂରତା ରେକର୍ଡକୁ ଭାଙ୍ଗିଛି । ତିର୍ତ୍ତୋଲରେ ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀଙ୍କ ଠାରୁ ୪୦,୩୮୬ ଖଣ୍ଡ ଭୋଟ ବ୍ୟବଧାନରେ ଜିଣିଥିବାବେଳେ ପୁଅ ବିଜୟ ଶଙ୍କର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ରେକର୍ଡ ସଂଖ୍ୟକ ୪୧,୭୦୩ ଖଣ୍ଡ ଅଧିକ ଭୋଟରେ ଜିଣିଛନ୍ତି ।
ଏହାର ଏକମାତ୍ର କାରଣ ହୋଇଛି ବିଜେଡିର ଦ୍ୱିତୀୟ ପୀଢିର ନେତାମାନେ ଦାୟିତ୍ୱ ସମ୍ଭାଳିବା । ତିର୍ତ୍ତୋଲ ବିଧାନସଭା ଆସନରେ ବିରିଡି ବ୍ଲକରେ ବିଜେଡିକୁ ସର୍ବାଧିକ ଭୋଟ ମିଳିଥିବାବେଳେ ଏଠାକାର ଦାୟିତ୍ୱରେ ଥିବା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ତାଙ୍କ ସଫଳ ନିର୍ବାଚନୀ ରଣନୀତିକୁ ପ୍ରଦର୍ଶନ କରିଛନ୍ତି । ତାଙ୍କ ସହିତ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାଶବର୍ମା ବି ମଙ୍ଗ ସମ୍ଭାଳିଥିଲେ । ତିର୍ତ୍ତୋଲ ବ୍ଲକ ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଥିବାବେଳେ ସେଠାରେ ବିଜେଡି କମ୍ ଭୋଟ ପାଇଥିବା ଜଣାଯାଇଛି । ସେହିଭଳି ବାଲେଶ୍ୱର ବିଧାନସଭା ଆସନରେ ବିଜେଡି ପାଇଁ ଅଗ୍ନିପରୀକ୍ଷା ଥିବାବେଳେ ଏଠାରେ ଗୋଟି ଚାଳନା କରୁଥିବା ଦଳର ଯୁବନେତା ପ୍ରଣବ ପ୍ରକାଶ ଦାସ ପୁଣିଥରେ ତାଙ୍କର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ପରଦା ପଛରେ ରହି ପ୍ରଣବ ଗୋଟି ଚାଳନା କରୁଥିବାବେଳେ ଆଗରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ଏମାନଙ୍କ ମିଳିତ ରଣନୀତି ଯୋଗୁଁ ବିଜେଡିରେ ବିଦ୍ରୋହ ଓ ବିଜେପିର ଅନୁକମ୍ପା ଭୋଟ ଭଳି ପ୍ରତିକୂଳ ପରିସ୍ଥିତିକୁ କାଟି ବିଜେଡି ସେଠାରେ ବିଜୟଲାଭ କରିଛି । ଗତଥର ବିଜେପି ଠାରେ ଯେତିକି ଭୋଟରେ ବିଜେଡିକୁ ହରାଇଥିବାବେଳେ ଏଥର ବିଜେଡି ପ୍ରାର୍ଥୀ ବିଜେପିକୁ ତାହାଠାରୁ ସାମାନ୍ୟ ଅଧିକ ଭୋଟରେ ହରାଇବାରେ ସଫଳ ହୋଇଛନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି କରୋନା ମହାମାରୀ ସମୟରେ ଦଳର ଯୁବନେତାମାନେ ଯେଭଳି ପ୍ରଚାର ମଙ୍ଗ ଧରିଲେ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ଉପସ୍ଥାପନ କଲେ ତାହା ଥିଲା ଅତ୍ୟନ୍ତ ନିଆରା । ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଚାରକୁ ଯାଇନଥିଲେ ମଧ୍ୟ ତାଙ୍କର କାର୍ଯ୍ୟଧାରା ଓ ବିକାଶକୁ ଏହି ନେତାମାନେ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଥିଲେ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କର ଯେଉଁ ଆସ୍ଥା ଥିଲା ତାହା ଅଧିକ ବଢିଥିବା ଲକ୍ଷ୍ୟ କରାଯାଇଛି । ସିଏ ଯାହା ହେଲେ ବି ବିଜେଡିର ଯୁବନେତାମାନେ ଯେ ଏବେ ନିର୍ବାଚନ ପରିଚାଳନାରେ ବେଶ୍ ଅଭିଜ୍ଞ ଓ ପାରଙ୍ଗମ ହୋଇଛନ୍ତି ତାହାକୁ ଅନ୍ୟ ଦଳର ନେତାମାନେ ବି ମୁକ୍ତ କଣ୍ଠରେ କହୁଛନ୍ତି । ୨୦୨୪ ସାଧାରଣ ର୍ନିବାଚନ ବେଳକୁ ଏହି ଅଭିଜ୍ଞତା ଆହୁରି ପାକଳ ହୋଇଥିବ ଓ ବିଜେଡିକୁ ନିର୍ବାଚନ ବୈତରଣୀ ପାର ହେବା ଅଧିକ ସହଜ ହେବ ବୋଲି ଦଳୀୟ କର୍ମୀମାନେ ମତ ଦେଉଛନ୍ତି ।
ଖୋରଧାରେ ଶାକ୍ୟଦ୍ୱୀପ ଦୈବଜ୍ଞ ବ୍ରାହ୍ମଣଙ୍କ ବୈଠକ ଖୋର୍ଦ୍ଧା, ୧୧/୧୧- ଗଡ଼ ଖୋର୍ଦ୍ଧା ଠାରେ ଥିବା ପ୍ରଭୁ କୁଞ୍ଜବିହାରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଖୋର୍ଦ୍ଧା ଜିଲ୍ଲା ଶାକ୍ୟଦ୍ୱୀପି ଦୈବଜ୍ଞ ବ୍ରାହ୍ମଣ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ନିରଞ୍ଜନ ଆ·ର୍ଯ୍ୟ ସଭାପତିତ୍ୱ କରିଥିବାବେଳେ ଜିଲ୍ଲାର ଅଭିଜ୍ଞ ଦୈବଜ୍ଞ ବ୍ରାହ୍ମଣମାନେ ଯୋଗ ଦେଇଥିଲେ । ରାଜ୍ୟ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ସନ୍ତୋଷ କୁମାର ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଜିଲ୍ଲାରେ ଥିବା ଶାକ୍ୟଦ୍ୱୀପି ବ୍ରାହ୍ମଣ ପ୍ରେମାନନ୍ଦ ସେନାପତି, ମନୋଜ କୁମାର ନାୟକ, ପ୍ରଭୁ ପ୍ରସାଦ ନାୟକ ପ୍ରମୁଖଙ୍କୁ ନେଇ ଦୈବଜ୍ଞ ବ୍ରାହ୍ମଣ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।
ସଂଘକୁ ଜିଲ୍ଲାରେ କିପରି ମଜଭୁତ କରାଯିବ ଓ ସଂଘକୁ ଜିଲ୍ଲାର ପ୍ରତ୍ୟେକ ଶାକ୍ୟଦ୍ୱୀପି ବ୍ରାହ୍ମଣଙ୍କ ନିକଟରେ ପହଞ୍ଚେଇବା ପାଇଁ ସମସ୍ତେ ଏକମତ ହୋଇଥିଲେ । କୋଭିଡ଼ କଟକଣାକୁ ଧ୍ୟାନ ରେ ରଖି କେବଳ ଅଳ୍ପ ଦୈବଜ୍ଞ ବ୍ରାହ୍ମଣଙ୍କୁ ନେଇ ଜିଲ୍ଲାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।