ନୂଆଦିଲ୍ଲୀ: କରୋନା କାଳରେ ଦୁଃଖଦ ଖବର । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀର ଉତ୍ତରାଖଣ୍ଡ ଭବନରେ ତାଙ୍କର ପରଲୋକଙ୍କ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ନିଆଯିବ । ସର୍ବସାଧାରଣଙ୍କ ଦର୍ଶନ ପରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।
ୟୁପିରୁ ଉତ୍ତରାଖଣ୍ଡ ଅଲଗା ହେବା ପରେ ଦୁଇ ଦଶନ୍ଧି ଧରି ଇନ୍ଦିରା ଉତ୍ତରାଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । କଂଗ୍ରେସର ଜଣେ ଜାତୀୟ ଟାଣୁଆ ନେତ୍ରୀ ଭାବେ ମଧ୍ୟ ସେ ବେଶ ଜଣାଶୁଣା । କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଉଠାଇବେ ସେ ସବୁବେଳେ ଆଗରେ ରହୁଥିଲେ । ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି ।
ଦିଲ୍ଲୀ ଆସିବା ପୂର୍ବରୁ ସାରା ଦେଶରେ ମହଙ୍ଗା ମାଡକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭରେ ଭାଗ ନେଇଥିଲେ । ଉତ୍ତରାଖଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଦଳର ରଣନୀତି ପ୍ରସ୍ତୁତ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ଏହି ବାବଦରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଆସିଥିଲେ ।