କଥିତ ଲଭ୍ ଜେହାଦ ବିରୋଧରେ ୟୁପିରେ ସରକାର ଶକ୍ତ ଆଇନ୍ ପ୍ରସ୍ତୁତି କରିବା ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ସ୍ୱତନ୍ତ୍ର ନିଷ୍ପତ୍ତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେକେହି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ବାଛିବାର ଅଧିକାର ରହିଛି । କୋର୍ଟ କହିଛନ୍ତି , ସେ ସମାନ ଲିଙ୍ଗି ବା ବିପରୀତ ଲିଙ୍ଗ ହେଇଥାନ୍ତୁ ନା କାହଁକି , ଆଇନ୍ ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଏକା ସାଥିରେ ରହିବାର ଅନୁମତି ଦେଇଥାଏ ।
କୁଶୀ ନଗରରେ ରହୁଥିବା ସଲାମତ ଅନସାରୀ ଓ ପ୍ରିୟଙ୍କା ଖରୱାରଙ୍କର ମାମଲାର ଶୁଣାଣି କରିବା ବେଳେ କୋର୍ଟ କହିଛନ୍ତି ଆଇନ୍ ଜଣେ ପ୍ରାପ୍ତ ବୟସ୍କ ମହିଳା ବା ପୁରୁଷଙ୍କୁ ନିଜର ଜୀବନ ସାଥି ଚୟନ କରିବାର ଅଧିକାର ଦେଇଥାଏ । କୋର୍ଟ କହିଥିଲେ , ସେମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନରେ କୌଣସି ବ୍ୟକ୍ତି ବା ପରିବାର ହସ୍ତକ୍ଷେପ କରିପାରିବେ ନାହିଁ।
ଏହାସହ କୋର୍ଟ କହିଥିଲେ , ଏମିତି କି କୌଣସି ରାଜ୍ୟ ସରକାର ମଧ୍ୟ ଦୁଇ ପ୍ରାପ୍ତ ବୟସ୍କ ଲୋକଙ୍କ ସମ୍ୱନ୍ଧକୁ ନେଇ ଅପତ୍ତି ଉଠେଇ ପାରିବେ ନାହିଁ । କୋର୍ଟ ଏହି ନିଷ୍ପତ୍ତି କୁଶୀ ନଗର ଥାନାର ସଲାମତ ଅନସାରୀ ଓ ଆଉ ୩ଜଣଙ୍କ ପକ୍ଷରୁ ଦାଖଲ ପିଟିସନ୍ରେ ଶୁଣାଣି ସମୟରେ କହିଥିଲେ ।
ଉଲ୍ଲେଖନୀୟ ଯେ, ସଲାମତ ଓ ପ୍ରିୟାଙ୍କା ଖରୱାର ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ । ଉଭୟ ମୁସଲିମ୍ ରୀତିନୀତି ସହ ୧୯ ଅଗଷ୍ଟ ୨୦୧୯ରେ ବିବାହ କରିଥିଲେ । ପ୍ରିୟଙ୍କା ଖରୱାର ବିବାହ ପରେ ଆଲିଆ ହୋଇ ଯାଇଥିଲେ । ଏହି ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରାଯାଇଥିଲା । ଏଥିରେ କହିଥିଲେ ତାଙ୍କର ଝିଅକୁ ଭୁଲାଇ ଫୁସୁଲାଇ ଭଗେଇ ନିଆଯାଇଛି ।
ଜଷ୍ଟିସ୍ ପଙ୍କଜ ନକଭି ଓ ଜଷ୍ଟିସ୍ ବିବେକ ଅଗ୍ରୱାଲଙ୍କର ଡିଭିଜନ ବେଞ୍ଚ୍ ଶୁଣାଣି ସମୟରେ କହିଥିଲେ କି ପ୍ରିୟଙ୍କା ଖରୱାର ଓରଫ ଆଲିଆଙ୍କର ବୟସରେ କୌଣସି ବିବାଦ ନାହିଁ । ପ୍ରିୟଙ୍କା ଖରୱାର ଓରଫ ଆଲିଆ ଙ୍କର ବୟସ୍କ ୨୧ ବର୍ଷ । କୋର୍ଟ ପ୍ରିୟଙ୍କା ଖରୱାର ଓରଫ୍ ଆଲିଆଙ୍କୁ ନିଜର ପତିଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି ।