Odia News Portal

ଭଦ୍ରକରେ ବହୁ କ୍ଷୟକ୍ଷତି କଲା ‘ୟାସ୍’

ଭଦ୍ରକ :  ବାତ୍ୟା ‘ୟାସ୍‌’ର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ।  ଭଦ୍ରକରେ ଲ୍ୟାଣ୍ଡଫଲ୍ କରିଲାନାହିଁ, କିନ୍ତୁ ବହୁ କ୍ଷୟକ୍ଷତି କଲା ବାତ୍ୟା ‘ୟାସ୍’ । କେଉଁଠି ଗଛ ଭାଙ୍ଗିଲା ତ କେଉଁଠି ବିଦ୍ୟୁତ ଖୁଣ୍ଟିକୁ ତଳେ ସୁଆଇଦେଲା । ଆଉ କେଉଁଠି କେଉଁଠି କାରକୁ ପାଣିରେ ଭସେଇଲା ଓ ଘରଗୁଡିକୁ ପାଣିରେ ବୁଡ଼ାଇଦେଲା । ବାତ୍ୟା ‘ୟାସ୍’ ଯିବା ପରେ ଏମିତି ସ୍ଥିତି ଏବେ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ‘ୟାସ୍’ ବାରମ୍ବାର ଦିଗ ବଦଳାଇଥିଲା । ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଭଦ୍ରକ ସହରର ସରକାର ନଗର ନିକଟରେ ଜମି ରହିଥିବା ପାଣିରେ ଏକ କାର୍ ଭାସୁଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗର ପ୍ରାଥମିକ ଆକଳନରେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିଥାନ୍ତା ‘ୟାସ୍’ । କିନ୍ତୁ ପୁଣି ଦିଗ ବଦଳାଇ ଭଦ୍ରକ ଜିଲ୍ଲାରେ ସିନା ଲ୍ୟାଣ୍ଡଫଲ୍ କରିଲା ନାହିଁ ହେଲେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ବହୁ କ୍ଷୟକ୍ଷତି କରିଛି ।ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷତିର ସୂଚନା ମିଳୁଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ଆବଶ୍ୟକ ପଦକ୍ଷେପ ପାଇଁ ଜୀବନ ହାନି ହୋଇନାହିଁ ।

ଅନ୍ୟପଟେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବିଭନ୍ନ ସ୍ଥାନରେ ଘର ଉପରେ ଗଛ ପଡିଛି । ତେବେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ର କର୍ମଚାରୀମାନେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଜିଲ୍ଲାରୁ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ସ୍ଥାନାନ୍ତର ପରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ଅନେକ ସ୍ଥାନରେ ଗଛ ପଡିଛି, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ମାଟି ଛୁଇଁଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଥିବା ବେଳେ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଘରଗୁଡିକ ଜଳମଗ୍ନ ହୋଇଛି । ତିହିଡି ବ୍ଲକ୍ ଗୁଆମାଳଠାରେ ଗଛ ପଡି ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ଭଦ୍ରକ ସହରର ୧୮ ନମ୍ବର ୱାର୍ଡରେ ବର୍ଷାରେ ବାଟ ନ ପାଇ ବୋଲେରୋ ଦୁର୍ଘଟଣା ହୋଇଛି । ସେହିପରି ପ୍ରାୟ ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି ।