ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ। ସେହି ଗ୍ରାମର ଖଇରୀ ମହାନ୍ତ ନାମକ ଜଣେ ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ତଣ୍ଟିକୁ କାଟି ହତ୍ୟା କରାଯାଇଛି। ଘଟଣା ଅନୁଯାୟୀ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ଗତକାଲି ସନ୍ଧ୍ୟା ସମୟରେ ପାଣି ଆଣିବା ନିମନ୍ତେ ହାତରେ ଗରା ଧରି ନଳକୂପ ନିକଟକୁ ଯାଇଥିବା ବେଳେ ଉକ୍ତ ସମୟରେ ତାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଶାରୀଶୁଆ ଗ୍ରାମର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ହୋଇ ନଥିଲା ।

ସେହି ଗ୍ରାମର ଖଇରୀ ମହାନ୍ତ ଗୁଣିଗାରେଡ଼ି କରୁଥିବାରୁ ଅନୀଲଙ୍କର ସନ୍ତାନ ହେଉ ନ ଥିବା ସେ ସନ୍ଦେହ କରିଥିଲେ । ଖଇରୀ ଗ୍ରାମ ନିକଟକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଓ ତାଙ୍କ ଭାଇ ବଳରାମ ଖଇରୀକୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ତେବେ ହତ୍ୟା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଥ୍ୟ ନିମନ୍ତେ ଛାନଭିନ ଜାରି ରଖିଛି |