କରୋନା ମହାମାରୀ ବିରୋଧରେ ଲଢିବାକୁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ଗୁରୁବାର କୋ-ୱିନ୍ ଆପରୁ ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ୧ ଶହ ୧୫ କୋଟି ଲୋକ ଟିକା ନେଇସାରିଲେଣି । ମାତ୍ର କିଛି ଲୋକ ଟିକାର ଉଭୟ ଡୋଜ ବା ଗୋଟିଏ ଡୋଜ ବି ନେଇନାହାନ୍ତି । ସେଥିପାଇଁ ସେମାନଙ୍କୁ ସଚେତନ କରିବା ଓ ଦେଶରେ ଶତ ପ୍ରତିଶତ ଟିକାକରଣ କରାଇବାକୁ ରାଜ୍ୟ ସରକାରମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ଏହାରି ଭିତରେ ମଧ୍ୟପ୍ରଦେଶର ଏକ ଜିଲ୍ଲାରେ ନୂଆ ତରିଆ ଆପଣାଇଛି ଅବକାରୀ ବିଭାଗ ।
ମଧ୍ୟ ପ୍ରଦେଶ ଖଣ୍ଡବା ଜିଲ୍ଲାର ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି କି ଯେଉଁମାନେ ଟିକାର ଉଭୟ ଡୋଜ ନେଇନାହାନ୍ତି ସେମାନଙ୍କୁ ସରକାରୀ ମଦ ଦୋକାନରୁ ମଦ ମିଳିବ ନାହିଁ । ତେବେ ମଦ ଦୋକାନୀମାନେ ମଦ ବିକ୍ରି କରିବା ପୂର୍ବରୁ କିଣୁଥିବାର ଲୋକର ଟିକାକରଣ ସାର୍ଟିଫିକେଟ ଯାଞ୍ଚ କରିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି ।
ଏହାସହିତ ଯେଉଁମାନେ ଟିକାର ଦୁଇଟି ଡୋଜ ନେଇଥିବେ ସେମାନେ ହିଁ ମଦ କିଣିପାରିବେ । ତେବେ ଅବକାରୀ ବିଭାଗ ୧୯ଟି ବିଦେଶୀ ମଦଦୋକାନ ଓ ୫୬ଟି ଦେଶୀ ମଦ ଦୋକାନକୁ ଏଭଳି ନୋଟିସ ପଠାଇଛି । ଯେଉଁମାନେ ଟିକା ନେଇଛନ୍ତି କେବଳ ସେମାନଙ୍କୁ ମଦ ବିକ୍ରି କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି ।