କେନ୍ଦୁଝର: ମାଆ-ଛୁଆର ସମ୍ପର୍କ ତ ସବୁଠୁ ନିଆରା । ସେ ମଣିଷ ହେଉ ଅଥବା ପଶୁ ମା’ର ମମତା ଆଗରେ ପଥର ମଧ୍ୟ ତରଳି ଯାଇଥାଏ | ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇନାହାନ୍ତି ସତ କିନ୍ତୁ ୧୦ ମାସ ଧରି ଛୋଟରୁ ବଡ଼ କରିଥିବା ମା’ର ଭଲ ପାଇବାରେ ବନ୍ଧା ହୋଇ ପଡ଼ିଛି ଜଙ୍ଗଲୀ ବାରହା | ନିଜ ଛୁଆ ମାନଙ୍କ ଠାରୁ କୁନ୍ତଳା ଅଧିକ ଭଲ ପାଇବା ଦେଇଥିଲେ ବାରହା ଛୁଆଟିକୁ ଆଉ ସ୍ନେହରେ ତା ନାଁ ଦେଇଥିଲେ ଢୁଢ | କୁନ୍ତଳାଙ୍କ ସ୍ନେହ ଆଦର ପାଖରେ ବନ୍ଧା ପଡିଛି ଜଙ୍ଗଲୀ ବାରହା ‘ଢୁଢ’ । ପାଳିତା ମାଆର ଡାକ ଶୁଣି ଜଙ୍ଗଲ ଭିତରୁ ଧାଇଁ ଆସୁଛି ।
ସୂଚନା ଅନୁଯାୟୀ, ପ୍ରାୟ ୧୦ ମାସ ତଳେ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ ବେଳେ ବାରହା ଛୁଆଟିଏ ପାଇଥିଲେ ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗାଁର କୁନ୍ତଳା କୁମାରୀ ପେଣ୍ଠେଇ । ଜଙ୍ଗଲରୁ ଅସହାୟ ଅବସ୍ଥାରେ ବାରହାକୁ ଉଦ୍ଧାର କରି ଘରକୁ ଆଣିଥିଲେ । ନିଜ ପିଲାଙ୍କ ଭଳି ସ୍ନେହ ମମତା ଦେଇ ପାଳିବା ସହ ସ୍ନେହରେ ‘ଢୁଢ’ ବୋଲି ଡାକୁଥିଲେ କୁନ୍ତଳା ଓ ତାଙ୍କ ପରିବାର ।ହେଲେ ଆଇନ୍ ଅନୁସାରେ ଜଙ୍ଗଲୀ ଜନ୍ତୁ ଘରେ ପାଳିବା ଅପରାଧ । ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ବାରହାକୁ କୁନ୍ତଳାଙ୍କ ଘରୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଗତ ୯ ତାରିଖ ରାତିରୁ ‘ଢୁର’କୁ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ବନ କର୍ମଚାରୀ । ସେବେଠୁ ପାଗଳି ପ୍ରାୟ ଜଙ୍ଗଲରେ ଘୁରି ବୁଲୁଥିଲେ କୁନ୍ତୁଳା। ଢୁଡକୁ ଝୁରିଝୁରି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା।
ଢୁଡକୁ ବନ କର୍ମଚାରୀ ଜଙ୍ଗଲରେ ଛାଡ଼ିବା ପରଠୁ ପ୍ରତିଦିନ ଟିଫିନ ଭର୍ତ୍ତି ଭାତ ଧରି ଜଙ୍ଗଲରେ ଘୂରି ବୁଲି ଖୋଜି ବୁଲୁଥିଲେ କୁନ୍ତଳା। କ’ଣ ଖାଉଥିବ, କିପରି ରହୁଥିବ ଭାବି ଭାବି କୁନ୍ତଳାଙ୍କ ଆଖିକୁ ନିଦ ନ ଥିଲା। ଜଙ୍ଗଲରେ ଢୁଡ, ଢୁଡ ବୋଲି ଚିତ୍କାର କରୁଥିଲେ| ମାତ୍ର ଶେଷରେ ଆଜି ପାଳିତା ମାଆର କୋଳକୁ ଫେରି ଆସିଛି ଜଙ୍ଗଲୀ ବାରହା ‘ଢୁଢ’ |ଆଉ ଢୁଡକୁ ପାଇ କୁନ୍ତଳାଙ୍କ ପରିବାର ସମସ୍ତଙ୍କ ଖୁସି କହିଲେ ନ ସରେ |