ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ | ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ଏହାମଧ୍ୟରେ ଆଙ୍କୁଡା ଜିଲ୍ଲାର ୪, ଝାଡଗ୍ରାମର ୪, ପଶ୍ଚିମ ମେଦିନୀପୁରର ୬, ପୂର୍ବ ମେଦିନୀପୁର ୭ ଓ ପୁରୁଲିଆର ୯ ଆସନରେ ଭୋଟଗ୍ରହଣ ହେଉଛି । ତେବେ ପଶ୍ଚିମବଙ୍ଗରେ ମଧ୍ୟାହ୍ନ ୧ଟା ସୁଦ୍ଧା ୪୦.୭୩ ପ୍ରତିଶତ ମତଦାନ ହୋଇ ସାରିଥିବା ସମୟରେ ଆସାମରେ ୩୭.୦୬ ପ୍ରତିଶତ ଭୋଟ ପଡ଼ିଛି ।
ତେବେ ପଶ୍ଚିମବଙ୍ଗର ଏହି ସବୁ ଜିଲ୍ଲା ମଧ୍ୟରୁ ବାଙ୍କୁଡା, ଝାଡଗ୍ରାମ ଓ ପୁରୁଲିଆ ଆଦି ଆଦିବାସୀ ବହୁଳ ଅଞ୍ଚଳ । ଏଠାକାର ୧୭ଟି ଆସନରେ ମତଦାନ ହେଉଛି । ଗତ ଲୋକସଭା ନିର୍ବାଚନରେ ବିଜେପି ବାଙ୍କୁଡା ଓ ପୁରୁଲିଆରେ ବଡ ସଫଳତା ହାସଲ କରିଥିଲା । ସେହିପରି ମେଦିନୀପୁରର ମଧ୍ୟ ୧୩ଟି ଆସନରେ ମତଦାନ ଜାରି ରହିଛି । ଏହି ସବୁ ଅଞ୍ଚଳରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା ଜାରି ରହିଛି । କରୋନାର ସଂକ୍ରମଣ ପୁଣି ଦେଶରେ ବଢି ଚାଲିଥିବାରୁ, କଡା କଟକଣା ଭିତରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ପୋଲିଂ ବୁଥରେ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କର୍ମଚାରୀ ଓ ମତଦାତାଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପର୍ଯ୍ୟାପ୍ତ ସାନିଟାଇଜର ଉପଲବ୍ଧ ରହିଥିବା ବେଳେ ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖି ଚାଲିଛି ଭୋଟିଂ ।