Odia News Portal

ଆରମ୍ଭ ହେଲା ଭୋଟ୍ ଗଣତି

ଆରମ୍ଭ ହେଲା ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ପରେ ଖୋଲିବ ଇଭିଏମ । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେଉଛି ।

ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେଉଛି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟଲ ବାଲଟ ଗଣତି ଚାଲିଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିଛନ୍ତି ।