Odia News Portal

ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭରଙ୍କ ସମେତ ୩ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କୋଟିପତି ଡ୍ରାଇଭରଙ୍କ ସମେତ ୩ ଅଧିକାରୀ । ଯାହାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି । ସୂଚନାନୁଯାୟୀ ଆଜି ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ବିନ୍ଧାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି । ସର୍କିଟ ହାଉସ ନିକଟରେ ଥିବା ବାସଭବନ ଓ ୱେସ୍କୋ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।ତାଙ୍କ ଘରୁ ସୁନା ବିସ୍କୁଟ ଓ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି । ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର କିରାଣୀ ପ୍ରଶାନ୍ତ କୁମାର ନାୟକ । ତେବେ ତାଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଆସିକା ରୋଡସ୍ଥିତ ଘର, କଲେଜ, ଲୋଚାପଡା ଘର , ଦୁଇଟି ଗୋଦାମ ପରି ୫ଟି ସ୍ଥାନରେ ଏକାକାଳୀନ ଚଢାଉ ଜାରି ରହିଛି । ପ୍ରାୟ ୧୮ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ ।

ସେହିଭଳି କଳାହାଣ୍ଡି ଧର୍ମଗଡ଼ ପୂର୍ବତନ ଇନ୍ଦ୍ରାବତୀ ପ୍ରକଳ୍ପର ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜ୍‌ରେ ଏକକାଳୀନ ଚଢାଉ ଜାରି ରହିଛି । ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଏଯାବତ ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର , ଏଟିଏମ ଆଦି ଜବତ ହୋଇଛି ।

ସେହିପରି ଭିଜିଲାନ୍ସ ବିଭାଗ ହାତରେ ପଡ଼ିଛନ୍ତି ପୋଲିସ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ପୋଲିସ ଏସ୍ଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ରବୀନ୍ଦ୍ର ସେନାପତି ବର୍ତ୍ତମାନ ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଅଛନ୍ତି ।ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଭିଜିଲାନ୍ସର ୪ଟି ଟିମ ଏହି ଚଢ଼ାଉ କାର୍ଯ୍ୟରେ ସାମିଲ ରହିଛନ୍ତି । ଏଥିରେ ପାଖପାଖି ୨୫ ଜଣ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଅଛନ୍ତି ।ଏଯାବତ ପ୍ରାୟ ୨କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସୁନା ଗହଣା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଟଙ୍କା ଜବତ ହୋଇଛି ।