Odia News Portal

ପୋଲ ଭୁଶୁଡ଼ିବା ଘଟଣା: ୩ ଜଣଙ୍କ ନାଁରେ ଏତଲା

ନବରଙ୍ଗପୁର: ଉମରକୋଟ ତାଲାପଦରରେ ନିର୍ମାଣଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଆକ୍ସନ ମୋଡ୍‌ରେ ପ୍ରଶାସନ। ୩ ଜଣଙ୍କ ନାଁରେ ଉମରକୋଟ ଥାନାରେ ଏତଲା ଦାୟର |ଠିକାଦାର,କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦିଆଯାଇଛି । ଠିକାଦାର ଆଶିଷ ବିଶ୍ୱାଳ,ଜେଇ ଅସିତ ପାତ୍ର ଓ ଏସଡିଓ ନିରଞ୍ଜନ ସାହୁଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ | ତେବେ ଏତଲା ଦାୟର ନେଇ ସୂଚନା ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର |

ସୂଚନାନୁଯାୟୀ, ଉମରକୋଟ ଥାନା ବଡ କୁମାରୀ ପଞ୍ଚାୟତ ଅନ୍ତର୍ଗତ ତାଲାପଦର ଗାଁରେ ଗତକାଲି ଏଭଳି ଅଘଟଣ ଘଟିଛି। ଜାନିଗୁଡାରୁ ତାଲାପଦରକୁ ସଂଯୋଗ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଚାଲିଥିଲା ବିଜୁ ସେତୁ ନିର୍ମାଣ କାର୍ୟ୍ୟ । ୨ଟି ସ୍ଲାବ କାମ ସରିଥିବା ବେଳେ ୩ ନମ୍ବର ସ୍ଲାବ୍ ନିର୍ମାଣ ଚାଲିଥିଲାବେଳେ ଘଟିଥିଲା ଏହି ଦୁର୍ଘଟଣା । ପୋଲ ନିର୍ମାଣ ଚାଲୁଥିବା ସମୟରେ ପୋଲ ଭୁଶୁଡିବାରୁ ୪ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ରାଇଘର ଅଞ୍ଚଳର ମହେନ୍ଦ୍ର ମାଳି ବୋଲି ଜଣାପଡ଼ିଛି । ସେହିଭଳି ଗୁରୁତରମାନେ ପୁରୀ ଜିଲ୍ଲା ବେହେଡାପାରା ଗ୍ରାମର ପ୍ରକାଶ ଭୋଇ, ରମେଶ ଭୋଇ,ଓ ପୁରୀ ଜିଲ୍ଲା ପାତ୍ରପାରା ଗ୍ରାମର ସନ୍ତୋଷ ଭୋଇ ବୋଲି ସୂଚନାରୁ ଜଣାପଡିଛି । ୨କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ କାମ ଚାଲିଛି ।