ରାଉରକେଲା: ସୁନ୍ଦରଗଡ଼ ବିଶ୍ରା ଥାନା ଅନ୍ତର୍ଗତ ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ମୁମ୍ବାଇ ମୁଖ୍ୟ ରେଳ ପଥର ବିଶ୍ରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହିପାଣି ଲେବୁଲ କ୍ରସିଂରେ ଘଟିଛି ଏହି ଘଟଣା ।ଏହି ଦୁର୍ଘଟଣାଟି ଗତକାଲି ରାତି ଗୋଟାଏରେ ହୋଇଥିବା ସୂଚନା ମିଳିଛି । ୧୨ରୁ ୧୪ ଟିକିଆ ହାତୀ ପଲ ଟ୍ରେନ ଲାଇନ ପାର କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ହାତୀଙ୍କୁ ଧକ୍କା ଦେଇଥିଲା ।ତେବେ ଘଟଣା ସ୍ଥଳରେ ଦୁଇଟି ମାଇ ହାତୀ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ୧୪ ଟିକିଆ ହାତୀପଲ ମହିପାଣିରୁ ଝାଡ଼ଖଣ୍ଡ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ପାର୍ସଲ ଟ୍ରେନ ଧକ୍କାରେ ଦୁଇ ହାତୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମାଈ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ୧୫ ବର୍ଷରୁ ଅଧିକ ହୋଥିବା ବେଳେ ଅନ୍ୟ ହାତୀଟି ୮ ବର୍ଷରୁ ଅଧିକ ବୟସର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀ ମୃତ୍ୟୁ ମାମଲାକୁ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ହାତୀପଲ ଯାଉଥିବା ନେଇ ରେଲବାଈ ଵିଭାଗକୁ ବନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ କେଉଁ କାରଣରୁ ଏହିଭଳି ଦୁର୍ଘଟଣା ଘଟିଲା ସେନେଇ ଵନ ଵିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ରେଳବାଇ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବନ୍ଧମୁଣ୍ଡା ଏଆରଏମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ରେଳ ଟ୍ରାକରୁ ହାତୀ ମୃତଦେହ ବାହାର କରିବା ସହ ଲାଇନଚ୍ୟୁତ ହୋଇଥିବା ଟ୍ରେନ ବଗି ମରାମତି କରାଯାଇଛି । ଏବେ ଟ୍ରେନ ଚଲାଚଳ ସ୍ୱାଭାବିକ ହୋଇଛି ।