Odia News Portal

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରୋନା କଟକଣା ଲାଗି ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ମହାସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଭାବେ ପାଳିତ ହୁଏ ଏହି ଦିବ୍ୟ ତଥା ପବିତ୍ର ସ୍ନାନଯାତ୍ରା । ଆଜି ମହାପ୍ରଭୁ ୧୦୮ ଗରା ଜଳରେ ସୁବାସିତ ସ୍ନାନ କରିବେ । ସେଥିଲାଗି ଧାଡି ପହଣ୍ଡି କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସ୍ନାନ ଦେବୀରେ ବିଜେ କରିସାରିଛନ୍ତି ।

ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନ ନୀତି । ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏହାପରେ ଗଜବେଶରେ ଦର୍ଶନ ଦେବେ ବଡ଼ ଠାକୁର । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରୁନାହାନ୍ତି ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଚିଠିଲେଖି ଜଣାଇ ଦେଇଛନ୍ତି ଗଜପତି ।

ଗଜପତି ଛେରା ପହଁରା କରିବେନି ସେଥିଲାଗି ତାଙ୍କ ପ୍ରତିନିଧି ମୁଦିରସ୍ତ ଉକ୍ତ କାର‌୍ୟ୍ୟ କରିବେ ବୋଲି ସୂଚନା ଦିଆଯାଇଛି । ଆଜିର ମହାସ୍ନାନ ପରେ ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ୧୫ ଦିନ ପାଇଁ ଅଣସର ଘରେ ରହିବେ । ମହାପ୍ରଭୁଙ୍କ ଜ୍ବର ହେବ ଓ ସେଥିଲାଗି ବୈଦ୍ୟଙ୍କ ଦ୍ବାରା ନିର୍ଦ୍ଧାରିତ ବିଧିସମ୍ମତ ସେବାଶୁଶ୍ରୁଷା ମଧ୍ୟ କରାଯିବ ।