ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଉଛନ୍ତି ସମ୍ପୂର୍ଣ୍ଣ ଓଡ଼ିଶାବାସୀ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ।
ତାଙ୍କ ପୂରା ନାଁ ବିଜୟାନନ୍ଦ ପଟ୍ଟନାୟକ। ସେ ସମସ୍ତଙ୍କ ନିକଟରେ ଅତି ପ୍ରିୟ ବିଜୁବାବୁ ଭାବେ ପରିଚିତ।

ଜଣେ ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଚିନ୍ତାନାୟକ ଭାବେ ବିଜୁ ବାବୁଙ୍କର ଅନେକ ସୁଖ୍ୟାତି । ସେ ଦୁଇ ଦୁଇ ଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତା ସହିତ କେନ୍ଦ୍ର ସରକାରଙ୍କ ଇସ୍ପାତ ଖଣି ଓ କୋଇଲା ବିଭାଗ ମନ୍ତ୍ରୀ ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସବୁବେଳେ ଓଡ଼ିଶାର ବିକାଶ ଓ ସମୃଦ୍ଧି ଉପରେ ବିଶେଷ ଭାବ ଗୁରୁତ୍ୱାରୋପ କରୁଥିଲେ ରାଷ୍ଟ୍ରୀୟ ଜନନାୟକ ବିଜୁବାବୁ ।ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ତେବେ ବିଜୁ ବାବୁଙ୍କ ଦୁଃସାହସିକତାକୁ ଏବେ ପର୍ଯ୍ୟନ୍ତ ମଧ୍ୟ ମନେ ରଖିଛି ସମ୍ପୂର୍ଣ୍ଣ ଇଣ୍ଡୋନେସିଆ । ଯେତେବେଳେ ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଉଡାଇଆଣିବା ଘଟଣା ବିଜୁବାବୁଙ୍କ ସାହସିକତାର ଅନନ୍ୟ ପ୍ରତୀକ ଅଟେ ।ତେବେ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ ।ସେହିଭଳି କାଶ୍ମୀରରେ ପାକିସ୍ତାନ ଉପରେ ଭାରତର ବିଜୟରେ ବିଜୁ ପଟ୍ଟନାୟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।


ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ବିଭାଜନ ପରେ ୧୯୪୮ ମସିହାରେ ପାକିସ୍ତାନ ବିରୁଦ୍ଧରେ କାଶ୍ମୀର ଯୁଦ୍ଧ ସମୟରେ ସେ ପାଇଲଟ ଭାବରେ ସାହସିକ କାର୍ଯ୍ୟ କରିଥିଲେ। କୁହାଯାଏ ଯେ ଯଦି ବିଜୁ ପଟ୍ଟନାୟକ ରିସ୍କ ନେଇ ଶ୍ରୀନଗରରେ ଭାରତୀୟ ସେନା ବାହିନୀକୁ ନ ଆଣି ଥାଆନ୍ତେ, ତେବେ ଜାମ୍ମୁ କାଶ୍ମୀର ଏବେ ପାକିସ୍ତାନ ଅଧୀନରେ ରହିଥାନ୍ତା।ଓଡିଶାରେ ଶିଳ୍ପର ବିକାଶ କଥା ଆସିଲେ ଆଜି ବି ମନେ ପଡନ୍ତି ବିଜୁ ବାବୁ । ଓଡିଶା ଇତିହାସରେ ଚିରକାଳ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଝଡ଼ର ଇଗଲ୍ ପ୍ରବାଦ ପୁରୁଷ ମହାନ ବିଜୁ ବାବୁଙ୍କ ନାଁ ।