ପୁରୀ: ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ।
ଏହିଦିନ ପ୍ରଭାତରୁ ଇନ୍ଦ୍ରଦ୍ୟୁମ୍ନ ସରୋବର ରେ ସ୍ନାନ ସାରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ବିଧାନ ରହିଛି। କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି :
” ନିଳାଦ୍ରୌ ଦଶ ବର୍ଷଣି ଗୁଣ୍ଡିଚା ମଣ୍ଡପେ ଦିନେ
ଦିବାତି ଦର୍ଶନମ ପୁଣ୍ୟମ ରାତ୍ର ଦଶଗୁଣ ଭବେତ” ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ ର ଫଳ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନର ଫଳ ସହ ସମାନ। ପକ୍ଷାନ୍ତରେ ଏହିଦିନକୁ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ କୁହାଯାଏ। ସ୍କନ୍ଦପୁରାଣ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ଥାନରେ ସାତଦିନ ଧରି ଯଜ୍ଞ କରିଥିଲେ। ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀରେ ଏହିଦିନ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ଦିନର ଯଜ୍ଞା ଅନ୍ନ ହେଉଛି ପ୍ରଥମ ମହାପ୍ରସାଦ। ଉକ୍ତ ଦିନଟି ମଧ୍ୟ ଅନ୍ନବ୍ରହ୍ ଙ୍କ ଜନ୍ମ ଦିବସ। ସେଥିପାଇଁ ପୁରିବାସୀ ତଥା ଭକ୍ତମାନେ ଆଡ଼ପ ମଣ୍ଡପରେ ବ୍ରାହ୍ମଣ ଭୋଜନ ଦେଇ ମହାପ୍ରସାଦ ସେବନ କରିଥାନ୍ତି। ଏହି ନବମୀ ତିଥିରେ ଶ୍ରୀରମାନନ୍ଦାଚର୍ୟ୍ୟ ମହାପ୍ରଭୁଙ୍କୁ ଶ୍ରୀରାମ ରୂପରେ ଏହି ଜନ୍ମ ବେଦିରେ ଦର୍ଶନ କରିଥିଲେ। ଆଜିବି ଏହାର ସ୍ମାରକୀ ସ୍ୱରୂପ ରମାନନ୍ଦୀ ନିଶାନ ଗୁଣ୍ଡିଚା ମନ୍ଦିର ପ୍ରଦକ୍ଷିଣ କରି ଦଶାବତାର ମଠରେ ବୈଠକି କରିଥାନ୍ତି। ନବମୀ ତିଥିର ରାତ୍ର ରେ ସ୍ୱତନ୍ତ୍ର ଭାବରେ ବଡ଼ସିଂହାର ନୀତିରେ ଇନ୍ଦ୍ରଦ୍ୟୁମ୍ନ ବନ୍ଦାପନା ନୀତି ସମ୍ପର୍ଣ୍ଣ ହୋଇଥାଏ। ଚଳିତ ବର୍ଷ ନବମୀ ଯୁକ୍ତ ଦଶମୀ ତିଥିରେ ଏହି ମହାର୍ଘ୍ୟ ଦିବସ ର ନୀତି ପାଳନ କରାଯାଉଛି। କେବଳ ସେବକମାନେ ମାନେ ଚଳିତ ବର୍ଷ ଏହି ଉତ୍ସବରେ ଭାଗ ନେଇ ନୀତି ସମ୍ପାଦନ କରିବେ।