‘ଡବଲ୍-ଇଞ୍ଜିନ୍’ବିଜେପି କରିବ ପଶ୍ଚିମବଙ୍ଗର ବିକାଶ
ଦିଦି କହୁଛନ୍ତି, ଖେଳ ହେବ, କିନ୍ତୁ ବିଜେପି କହୁଛି, ବିକାଶ ହେବ
କୋଲକାତା: ପୁରୁଲିଆରେ ସଭାମଞ୍ଚରୁ ଦିଦିଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି ।ତେବେ ସଭା ମଞ୍ଚରୁ ବଙ୍ଗାଳୀ ଭାଷାରେ ଭାଷଣ ଆରମ୍ଭ କରିବା ସହ ‘ବିକାଶ ହୋବେ’ ନାରା ଦେଇ ମମତାଙ୍କୁ ଖୁଲମ ଖୁଲା ଚ୍ୟାଲେଞ୍ଜ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୀତିର ମାହୋଲ ସରଗରମ ହୋଇଥିବା ବେଳେ ଜୋରଦାର ହେଉଛି କ୍ୟାମ୍ପେନ୍ ୱାର୍ । ଆଜି ପୁରୁଲିଆଠାରେ ପହଞ୍ଚି ଏକ ରାଲିକୁ ସମ୍ବୋଧିତ କରିବା ସହ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି । କହିଛନ୍ତି, ପଶ୍ଚିମବଙ୍ଗର ସବୁ ପ୍ରାନ୍ତକୁ ରେଳ ସଂଯୋଗ କରିବା ଆମର ପ୍ରାଥମିକତା । ୨ ମେରେ ବିଜେପି ସରକାର ଗଢ଼ିବା ପରେ ସମସ୍ତ ରେଳ ପ୍ରୋଜେକ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଦିଦିଙ୍କ ସରକାର ବେଳେ ପଶ୍ଚିମବଙ୍ଗରେ ନକ୍ସଲବାଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏସବୁ ଯୋଗୁ ପୁରୁଲିଆର ସାଧାରଣ ଜନତା ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିଭଳି ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ପୁରୁଲିଆର ସାମ୍ପ୍ରତିକ ଜଳ ସଙ୍କଟ ପ୍ରସଙ୍ଗରେ ମହାକାବ୍ୟ ‘ରାମାୟଣ’ରୁ ଗୋଟାଏ କଥାର ଦୃଷ୍ଟାନ୍ତ ଦେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏ ଭୂମି ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ। ଏ ଭୂମିରେ ସୀତାକୁଣ୍ଡ ଅଛି। କଥିତ ଅଛି ଯେ, ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଭୂଇଁରେ ଶର ବିନ୍ଧି ଜଳ ବାହାର କରିଥିଲେ। କିନ୍ତୁ, ଆଜି ପୁରୁଲିଆରେ ଜଳ ସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା | ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍-ଇଞ୍ଜିନ୍’ବିଶିଷ୍ଟ ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।

ବର୍ଷ ବର୍ଷର ଅରାଜକତା ନିମନ୍ତେ ବଙ୍ଗବାସୀ ମମତାଙ୍କ ପ୍ରତି ଦଣ୍ଡ ବିଧାନ କରିବେ। ଦିଦି କହୁଛନ୍ତି, ଖେଳ ହେବ, କିନ୍ତୁ ବିଜେପି କହୁଛି, ବିକାଶ ହେବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକସଭାରେ ତୃଣମୂଳ କଂଗ୍ରେସ ଅଧା ଶେଷ ହୋଇଯାଇଛି, ଏବଂ ଏଥର ପୂରା ଶେଷ ହୋଇଯିବ ବୋଲି ବିଜେପି କହି ଆସୁଛି। ବିଜେପିର ଏହି ପ୍ରତିବଦ୍ଧତା ଦେଖି ଦିଦି ମୋ ଉପରେ ବିଷୋଦ୍ଗାର କରୁଛନ୍ତି। କିନ୍ତୁ, ଆମ ଦୃଷ୍ଟିରେ ସେ ଭାରତର କୋଟି କୋଟି ଝିଅଙ୍କ ପରି ଜଣେ ଝିଅ। ଝିଅମାନଙ୍କ ପ୍ରତି ମର୍ଯ୍ୟାଦା ଦେବା ଆମ ସଂସ୍କୃତିର ଅଂଶବିଶେଷ। ଅନ୍ୟପଟେ ଆଜି ପଶ୍ଚିମବଙ୍ଗରେ ରାଲି କରି ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।