Odia News Portal

ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଘୋଷଣା ହୋଇଛି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ବିଜେପିର ବରିଷ୍ଠ ନେତା ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରା ଯାଇଛି। ଡେରାଡୁନ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ତୀରଥ ସିଂହ ରାୱତଙ୍କ ନାଁରେ ମୋହର ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ବୈଠକ ପରେ ତୀରଥ ସିଂହ ରାୱତଙ୍କ ନାଁ ଘୋଷଣା କରିଥିଲେ।

ବିଜେପି ରାଷ୍ଟ୍ରୀୟ ସଚିବ, ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଓ ପୂର୍ବତନ ଶିକ୍ଷା ମନ୍ତ୍ରୀ ତୀରଥ ସିଂହ ରାୱତ ୧୯୮୩ ରୁ ୧୯୮୮ ଯାଏଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଥିଲେ। ସେ ଉତ୍ତରାଖଣ୍ଡର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଗଠନ ମନ୍ତ୍ରୀ ମଧ୍ୟ ଥିଲେ। ଏହି ସଂଗଠନରେ ସେ ରାଷ୍ଟ୍ରୀୟ ମନ୍ତ୍ରୀଙ୍କ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତା ପୂର୍ବରୁ ସେ ହେମବତୀ ନନ୍ଦନ ଗଢ଼ଵାଲ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡରେ ରମେଶ ପୋଖରିୟାଲ ନିଶଙ୍କ, ଅଜୟ ଭଟ୍ଟ, ଧନ ସିଂହଙ୍କ ନାଁ ଆସିଥିଲା। ମଙ୍ଗଳବାର ଦିନ ତ୍ରିବେନ୍ଦ୍ର ସିଂହ ରାୱତ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ। ତୀରଥ ସିଂହ ରାୱତ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୪ଟା ସମୟରେ ତୀରଥ ସିଂହ ରାୱତ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।