ବ୍ରହ୍ମପୁର: ଗଞ୍ଜାମ ଛତ୍ରପୁରରେ ସକାଳୁ ୨ ଟି ଦୁର୍ଘଟଣା ଘଟି ସାରିଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଛି । ସକାଳୁ ଏକ ଗ୍ୟାସ୍ କଣ୍ଟେନ୍ର ଓଲଟି ପଡ଼ିଥିବା ବେଳେ ଏହାର କିଛି ଦୂରରେ ଘଟିଛି ଏହି ଅଘଟଣ । ରାସ୍ତା କଡ଼ରେ ପାର୍କିଂ କରୁଥିବା ବେଳେ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ଛତ୍ରପୁର ନିକଟ ଏନ୍ଏଚ୍ ୧୬ରେ ସକାଳେ ଏକ ଇନ୍ଧନ ଭର୍ତ୍ତି ଗ୍ୟାସ୍ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ଏହାର ଉଦ୍ଧାର କାର୍ଯ୍ୟ ନିମନ୍ତେ ଯାଉଥିବା ଏକ ପୁଲିସ୍ ଗାଡ଼ି ଓଲଟି ପଡ଼ିଥିଲା। ପୁଲିସ୍ ଭ୍ୟାନ ଓଲଟି ପଡ଼ିବାରୁ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଜଣଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳଠାରୁ ଅଳ୍ପ କିଛି ବାଟ ଦୂରରେ ଜଣେ ସାଇକେଲ୍ ଆରୋହୀଙ୍କୁ ସାଇଡ୍ ଦେବାକୁ ଯାଇ ପୁଲିସ୍ ଗାଡ଼ିଟି ଓଲଟି ପଡ଼ିଥିଲା । ସେହିଭଳି ସେହି ରାସ୍ତାର କିଛି ଦୂରରେ ଏକ ମାଲବାହୀ ଟ୍ରକ ଓଲଟି ପଡିବାରୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।