ବଲାଙ୍ଗୀର: ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତ ମୁହାଁମୁହିଁ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରିଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି । ଡ଼କାୟତ ବନ୍ଧୁକ ଧରି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ପୋଲିସର ଭୟ ନାହିଁ । ଏଭଳି ଏକ ଘଟଣା ବଲାଙ୍ଗିର ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, କୁସଙ୍ଗ ଗାଁର ଜ୍ୟୋତିରଞ୍ଜନ ଓ ଜନ ରଞ୍ଜନ ନାୟକ ଦୁଇ ଭାଇ। ଏମାନଙ୍କର ଝାରମୁଣ୍ଡା ଗାଁରେ ଗୋଟିଏ ଜନସେବା କେନ୍ଦ୍ର ରହିଛି। ଶନିବାର ଦୁଇ ଭାଇ ଏକ ବାଇକ୍ରେ ଯାଉଥିବା ସମୟରେ ଆମ୍ୱାପାଲି ଛକ ନିକଟରେ ୫ ଜଣ ଡକାୟତ ୨ଟି ବାଇକ୍ରେ ଆସି ଦୁଇ ଭାଇଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁଇ ଭାଇ ତଳେ ପଡ଼ି ଯାଇଥିଲେ। ପରେ ଡକାୟତମାନେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଲ୍ୟାପ୍ଟପ୍ ଲୁଟି ନେଇଥିଲେ।
ଦୁଇ ଭାଇ ଏ ସମ୍ପର୍କରେ ଲୋଇସିଂହା ପୋଲିସ ଜାଣିପାରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ଡକାୟତମାନଙ୍କୁ ଗୋଡାଇ ଥିଲା। ଡକାୟତମାନେ ଜାଣିପାରି କୁଟାସିଂହା ନିକଟରେ ଥିବା ଜଙ୍ଗଲ ଭିତରେ ପଶି ଯାଇଥିଲେ। ପରେ ପୋଲିସ ଉପରକୁ ଗୁଳି ଚଳାଇ ଥିଲେ। ପୋଲିସ ଓ କୁଟାସିଂହା ଗାଁ ଲୋକମାନେ ଡକାୟତମାନଙ୍କୁ ଘେରାବନ୍ଦୀ କରି କାବୁ କରିବାକୁ ଉଦ୍ୟମ କରିଥିଲେ। ଡକାୟତମାନେ କିଛି ଉପାୟ ନପାଇ ପିସ୍ତଲ ଫିଙ୍ଗି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାରେ ଦୁଇ ଜଣ ଡକାୟତ ଫେରାର ମାରିଥିବା ବେଳେ ୩ ଜଣଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖିଛି ପୋଲିସ |