ଭୁବନେଶ୍ୱର : ବିଭିନ୍ନ ସଂସ୍ଥାରୁ ଆସୁଥିବା ଠିକା କର୍ମଚାରୀଙ୍କ ପାଉଣାରେ ତାଳମେଳ ନଥିବାରୁ ଏହାକୁ ନେଇ ଏବେ ଲୋକସେବା ଭବନରେ ଅଶାନ୍ତି ବଢିବାରେ ଲାଗିଛି । ଦଶ ବାରବର୍ଷ ଧରି ଗୋଟିଏ ଆଉଟସୋର୍ସିଂ ସଂସ୍ଥାରୁ ଆସିଥିବା କର୍ମଚାରୀ ଯେତିକି ପାରିଶ୍ରମିକ ପାଉଛନ୍ତି ତାଙ୍କ ସାତ ପଛରେ ଅନ୍ୟ ସଂସ୍ଥାରୁ ଆସିଥିବା କର୍ମଚାରୀଟିଏ ଏବେ ଅଧିକା ପାଉଣା ପାଉଛି । ବିଭାଗ ବିଭାଗ ମଧ୍ୟରେ ଏଭଳି ପାଉଣା ତାରତମ୍ୟକୁ ନେଇ କିଛି ଠିକା କର୍ମଚାରୀ ଅସନ୍ତୋଷ ପ୍ରକଟ କରିବା ସହିତ ଏହା ପଛରେ ବଡ ଧରଣର କାରବାର ବୋଲି ଚର୍ଚ୍ଚା ହେଉଛି ।
ଲୋକସେବା ଭବନରେ ଏକାଧିକ ସଂସ୍ଥାରୁ ଠିକା କର୍ମଚାରୀ ଆସି ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ଏମାନଙ୍କ ବେତନ ଏକା ପ୍ରକାରର ନୁହେଁ । ବିଭିନ୍ନ ଆଉଟସୋର୍ସିଂ ସଂସ୍ଥାର ପାରିଶ୍ରମିକ ଭିନ୍ନ ଭିନ୍ନ ପ୍ରକାରର । ଏପରିକି ୫ରୁ ୭ହଜାର ଟଙ୍କାର ଫରକ ଆସୁଛି । କନିଷ୍ଠ ବରିଷ୍ଠ ବୋଲି ଏଠାରେ କିଛି ନାହିଁ । ସେହିଭଳି ରାଜ୍ୟ ସରକାରରୁ ଅବସର ନେଉ ପୁନଃ ଠିକାରେ ରହୁଥିବା କର୍ମଚାରୀଙ୍କ ପାରିଶ୍ରମିକ ବି ଆଉ ଗୋଟିଏ ପ୍ରକାରର । ଏଭଳି ଭିନ୍ନ ଭିନ୍ନ ପାଉଣା ବ୍ୟବସ୍ଥା ଏବେ ସରକାରୀ କାର୍ଯ୍ୟକୁ ମନ୍ଥର କରିଦେବା ନେଇ ଆଲୋଚନା ହେଉଛି । ଏହାଦ୍ୱାରା କେବଳ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନେ ଶୋଷଣର ଶିକାର ହେଉଥିବାବେଳେ କିଛି ବାବୁଙ୍କ ପକେଟ ଗରମ ହେଉଛି ।
କେତେକ ପ୍ରମୁଖ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ଏବେ ଠିକା କର୍ମଚାରୀ ରଖିବାପରେ ମାତିଛନ୍ତି । ଯେଉଁ ଅଫିସରଙ୍କୁ ଯେମିତି ସୁହାଇଲା ସିଏ ମନପସନ୍ଦର ଆଉଟସୋର୍ସିଂ ସଂସ୍ଥାରୁ କର୍ମଚାରୀ ଆଣୁଛନ୍ତି । ତେଣୁ ଭିନ୍ନ ଭିନ୍ନ ସଂସ୍ଥାରୁ ଆସୁଥିବା କର୍ମଚାରୀଙ୍କ ପାଉଣା ବି ଅଲଗା ଅଲଗା । କାହାର କାହା ସହିତ ସମାନ ନୁହେଁ । ଗୋଟିଏ କାମକୁ ଏକାଧିକ ପ୍ରକାରର ପାଉଣା ଏବେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାର ମୁଖ୍ୟ କାରଣ ହୋଇଛି । କେତେକ ବିଭାଗରେ ନିଯୁକ୍ତ ହୋଇଥିବା କନସଲଣ୍ଟାଣ୍ଟଙ୍କ ପାଣିଶ୍ରମିକ ତ ଦ୍ୱିତୀୟଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ଅଧିକ ।
ତେବେ ରାଜ୍ୟ ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କିଛି ବରିଷ୍ଠ କର୍ମଚାରୀ ମତ ଦେଉଛନ୍ତି । ବର୍ତ୍ତମାନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ବିଭାଗ ଗୁଡିକ ଶହ ଶହ ସଂଖ୍ୟାରେ ଠିକା କର୍ମଚାରୀ ବିଭିନ୍ନ ସଂସ୍ଥାରୁ ଆଣୁଥିବାବେଳେ ଏଥିପାଇଁ ମାସିକ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଏଥିପାଇଁ ଖୋଲା ଟେଣ୍ଡର ହେଉନାହିଁ । ସବୁକିଛି ଭିତିରିଆ ଚାଲିଛି । ନିଜ ନିଜ ପସନ୍ଦର କିଛି ପିଲାଙ୍କୁ ସମ୍ପୃକ୍ତ ଠିକା ସଂସ୍ଥା ଜରିଆରେ ଆଣି ସରକାରରେ ବସାଇ ଦେଉଛନ୍ତି କିଛି ଅଫିସର । ଏ ବାବଦରେ ମୋଟା ଅଙ୍କର କାରବାର ହେଉଥିବା ନେଇ ଆଲୋଚନା ଚାଲିଛି ।
ଲୋକସେବା ଭବନରେ ହଜାରେ ନୂଆ ଏଏସ୍ଓ ନିଯୁକ୍ତି ହେଲାପରେ ଲୋକେ ଭାବିଥିଲେ ଆଉ ଅବସରପ୍ରାପ୍ତ ବୁଢା କର୍ମଚାରୀ ରହିବେନାହିଁ । ୨୦୧୮ ମସିହାରେ ବସିଥିବା ସଚିବ ସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିଲା । କେତେକ ଜରୁରୀ କାମକୁ ବାଦ୍ଦେଲେ ଅନ୍ୟ ସ୍ଥାନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖିବାକୁ ବାରଣ ହୋଇଥିଲା । ହେଲେ ଏହା କେବଳ ଧର୍ମକୁ ଆଖିଠାର ମାରିବା ଭଳି । ମାଳ ମାଳ ଅବସରପ୍ରାପ୍ତ କର୍ମଚାରୀ ଏବେ ଲୋକସେବା ଭବନ ଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟ ଦପ୍ତର ପର୍ଯ୍ୟନ୍ତ ଠିକା କର୍ମଚାରୀ ଭାବେ ପଇଁତରା ମାରୁଛନ୍ତି । ଏଭଳି ସ୍ଥିତରେ ରାଜ୍ୟ ସରକାର ଖୋଲା ଟେଣ୍ଡର ଜରିଆରେ ବିଭିନ୍ନ ସଂସ୍ଥାରୁ ଦକ୍ଷ ଯୁବକ ଯୁବତୀଙ୍କୁ ଆଣି ଠିକାରେ କାମ କରାଇବାକୁ ମତପ୍ରକାଶ ପାଉଛି ।