Odia News Portal

କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

କଳାହାଣ୍ଡି: କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିରେ ପହଞ୍ଚି ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି| କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ରାଜ୍ୟ ସରକାରଙ୍କ ଏହି ବଡ କାର୍ଯ୍ୟକ୍ରମ । ମଙ୍ଗଳପୁରରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦ୍‌ଘାଟନ କରି କଳାହାଣ୍ଡିବାସୀଙ୍କୁ ଏହି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ୨ ହଜାର ୮୫ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୪ କୋଟି ୮୬ ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୧ ହଜାର ୨୦ କୋଟି ୩୪୭ ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍‌ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍‌ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।