Odia News Portal

ସନ୍ଦିଗ୍ଧ ପାରା ଜବତ

ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ସାରଥୀ ନାମକ ବୋଟ ଗତ ୪ ତାରିଖରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ପାରାଦୀପଠାରୁ ୭୬କିମି କାକଟପୁର ସୀମାରେ ବୋଟ ଥିବା ବେଳେ ସେଥିରେ ଗତ ୬ ତାରିଖରେ ଏହି ପାରା ଆସି ବସିଥିଲା ବୋଲି ବୋଟ ଷ୍ଟାଫ ପୀତାମ୍ବର ବେହେରା କୁହନ୍ତି। ପାରାକୁ ଚାଉଳ ଦେଖାଇ ଡାକିବାରୁ ସେ ଆସି କାନ୍ଧରେ ବସିଥିଲା। ପାରାର ଦୁଇଟି ଗୋଡରେ ଗୋଟିଏ ଛୋଟ ସିସି କ୍ୟାମେରା ଓ ମେମୋରି ଚିପ୍ସ ବନ୍ଧା ଯାଇଥିବାରୁ ସନ୍ଦେହ ହୋଇଥିଲା। ଆମେ ଆମ ମାଲିକ କିଶୋର ରାୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲୁ ବୋଲି ପୀତାମ୍ବର କୁହନ୍ତି। ସଂପୃକ୍ତ ବୋଟ ବୁଧବାର ମଧ୍ୟାହ୍ନରେ ଆସି ପହଞ୍ଚିବା ପରେ ମାଲିକ ରାୟ ଆସି ସ୍ଥାନୀୟ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ପାରାକୁ ନେଇ ତଦନ୍ତ ଆରମ୍ଭ କରିଛି। ଏପରିକି କୋଷ୍ଟଗାର୍ଡ ଗୁଇନ୍ଦା ଅଧିକାରୀମାନେ ଆସି ପାରା ଗୋଡରେ ବନ୍ଧା ଯାଇଥିବା କ୍ୟାମେରା ଚିପ୍ସ ଆଦି ଦେଖିଛନ୍ତି।ପାରାର ଡେଣା ପକ୍ଷୀରେ ବିଦେଶୀ ଭାଷା ଲେଖାଯାଇଛି। ସଂପୃକ୍ତ ଭାଷା କୋରିଆ କିମ୍ବା ଚାଇନାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।