Odia News Portal

କ୍ଷମତାକୁ ଆସିଲେ ତାଜମହଲ ପରି ଦିଶୁଥିବା ସଚିବାଳୟର ଗମ୍ବୁଜ ଭାଙ୍ଗିଦେବୁ: ବଂଦୀ ସଞ୍ଜୟ କୁମାର

ନିର୍ବାଚିତ ହୋଇ କ୍ଷମତାକୁ ଆସିଲେ ତାଙ୍କ ଦଳ ରାଜ୍ୟର ନୂଆ ସଚିବାଳୟ ଅଟ୍ଟାଳିକା ଉପରେ ଥିବା ଗମ୍ବୁଜଗୁଡ଼ିକୁ ଧ୍ବଂସ କରି ସେଥିରେ ଦେଶ ଓ ତେଲେଙ୍ଗାନାର ସଂସ୍କୃତିକୁ ପ୍ରତିଫଳନ କରିବା ଭଳି ପରିବର୍ତ୍ତନ କରିବ ବୋଲି ତେଲେଙ୍ଗାନା ‘ବିଜେପି’ ସଭାପତି ବଂଦୀ ସଞ୍ଜୟ କୁମାର କହିଛନ୍ତି।
‘ଜନତାଙ୍କ ଦୁର୍ଦ୍ଦଶା- ‘ବିଜେପି’ର ପ୍ରତିଶ୍ରୁତି’ ଅଭିଯାନର ଅଂଶବିଶେଷ ଭାବେ ଶୁକ୍ରବାର ଦିନ ପୁରୁଣା ବୋୱେନ୍ପାଲ୍ଲୀରେ ଆୟୋଜିତ ପଥପ୍ରାନ୍ତ ସଭାରେ ଦେଇଥିବା ଉଦ୍ବୋଧନରେ ସେ ଉପରୋକ୍ତ କଥା କହିଛନ୍ତି। ନିଜ ଜନ୍ମଦିନ ଫେବ୍ରୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନୂଆ ସଚିବାଳୟ ଉଦ୍ଘାଟନ କରିବା କଥାକୁ ବି ସେ ନାପସନ୍ଦ କରିଛନ୍ତି।
କୁମାର କହିଛନ୍ତି, ବାବାସାହେବ ଆମ୍ବେଦକରଙ୍କ ନାମାନୁସାରେ ନାମିତ ‘ବିଆର୍ଏସ୍’ ସରକାରଦ୍ବାରା ନିର୍ମିତ ସଚିବାଳୟ ଅଟ୍ଟାଳିକାକୁ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ୍ ୧୪ ତାରିଖ ଦିନ ଉଦ୍ଘାଟନ କରାଯିବା ଉଚିତ ଥିଲା। ଏହାଛଡ଼ା, ସଚିବାଳୟ ଅଟ୍ଟାଳିକା ନିମନ୍ତେ ୪୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ‘ବିଆର୍ଏସ୍’ ସରକାର ତାହାକୁ ୧୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
୧୫୦୦ କୋଟି ଟଙ୍କାରେ ରାଓ ତାଜମହଲ ପରି ଦିଶୁଥିବା ସଚିବାଳୟ ନିର୍ମାଣ କରୁଛନ୍ତି। ‘ବିଜେପି’ ସରକାର ଗଠନ କରିବା ପରେ ଆମେ ନିଶ୍ଚୟ ଉକ୍ତ ଗମ୍ବୁଜଗୁଡ଼ିକୁ ଧ୍ବଂସ କରିପକାଇବୁ। ତେଲେଙ୍ଗାନା ଓ ଭାରତୀୟ ସଂସ୍କୃତିର ପ୍ରତିଫଳନ କରିବା ଭଳି ଢଙ୍ଗରେ ଆମେ ସଚିବାଳୟକୁ ବଦଳାଇ ଦେବୁ ବୋଲି ସେ କହିଛନ୍ତି।
ଗୋଟାଏ ତାଜମହଲ ଭଳି ସୁନ୍ଦର କରି ସଚିବାଳୟ ନିର୍ମାଣ ଚାଲିଛି ବୋଲି ‘ଏଆଇଏମ୍ଆଇଏମ୍’ର ଅଧ୍ୟକ୍ଷ ଅସାଦୁଦ୍ଦୀନ୍ ଅୱେସୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କୁମାର କହିଛନ୍ତି, ରାଓ ଅୱେସୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ବାସ୍ତବରେ ତାଜମହଲ ହେଉଛି ଗୋଟାଏ ସମାଧି।
ସେ ଆହୁରି ମଧ୍ୟ କହିଛନ୍ତି, ଏଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ‘କ୍ୟାମ୍ପ୍ ଅଫିସ୍ ତଥା ବାସଭବନ ‘ପ୍ରଗତି ଭବନ’ର ନାଁ ବଦଳାଇ ‘ପ୍ରଜା ଦରବାର’ କରାଯିବ।