Odia News Portal

‘ତାରା’ ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତାରା ଏବେ ବିରୋଧିଙ୍କ ପାଇଁ ‘ଚାନ୍ଦ’ ପାଲଟିଛନ୍ତି । ରାଜ୍ୟ ରାଜନୀତିରେ ମୁଣ୍ଡ ଟେକୁଥିବା କଂଗ୍ରେସକୁ ତାରା ବାହିନିପତି ଏମିତି ଘାଇଲା କରୁଛନ୍ତି ଯେ ତାଙ୍କ କଥାଗୁଡା ବିରୋଧିଙ୍କୁ ପୁନେଇ ଚାନ୍ଦ ଭଳି ଅନୁଭବ ହେଉଛି । କଂଗ୍ରେସର ଏହି ଘର କଳି ଏବେ ପୁଣିଥରେ ଦିଲ୍ଲୀ ମୁହାଁ ହେବା ଆରମ୍ଭ କରିଛି ।

ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ଓ କୋରାପୁଟ ବିଧାୟକ ଥିବା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି ଗତ କିଛି ଦିନ ଧରି ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ କରୁଛନ୍ତି । ପୂର୍ବରୁ ନିରଞ୍ଜନଙ୍କ ସପକ୍ଷରେ ଥିବା ତାରା ଏବେ ତାଙ୍କର ଜାନି ଦୁଷ୍ମନ ପାଲଟିଛନ୍ତି । ଏହା ହେଉଛି କୋରାପୁଟ କଂଗ୍ରେସ ରାଜନୀତିର ପ୍ରତିଫଳନ । କୋରାପୁଟ ଜିଲ୍ଲା କଂଗ୍ରେସ ସଂଭପତି ଥିବା ତାରାଙ୍କ ଧର୍ମପତ୍ନୀ ମିନାକ୍ଷୀଙ୍କୁ କଂଗ୍ରେସ କୋଣଠେସା କରିବାପରେ ଏଭଳି ସ୍ଥିତି ଉପୁଜିଛି । ତାରା ସିଧାସଳଖ ନିରଞ୍ଜନଙ୍କୁ ନିଶାଣ କରୁଥିବାବେଳେ ମିନାକ୍ଷୀ ଦଳ ବଳ ଧରି ଦିଲ୍ଲୀ ଯିବାପାଇଁ ଧମକ ଦେଲେଣି ।

ତେବେ ଗତ କିଛି ଦିନ କଂଗ୍ରେସ ହେଲା କଂଗ୍ରେସ ତାହାର ମିଡିଆ ସେଲ୍‍କୁ ସଜାଡି ପ୍ରତିଦିନ ଯେଭଳି ଶାସକ ବିଜେଡି ଓ ଜାତୀୟଦଳ ବିଜେପି ଉପରକୁ ବୋମା ପକାଉଥିଲା ସେଥିରେ ତାରା ଏକ ପ୍ରକାର ବ୍ରେକ ଲଗାଇ ଦେଇଛନ୍ତି । କାରଣ ଏବେ କଂଗ୍ରେସଦଳର ଅବସ୍ଥା କହିଦେଉ ଥାଇ ପରକୁ… ଭଳି ଅବସ୍ଥା ହୋଇଛି । ଏକଜୁଟି ହୋଇ ବିଜେଡିକୁ ମୁକାବିଲା କରିବେ କ’ଣ କିଭଳି ନିଜ ଦୁର୍ଗ ରକ୍ଷା କରିବେ ସେଥିପାଇଁ ଏବେ କଂଗ୍ରେସର ଛାମୁଆ ନେତାମାନେ ଚିନ୍ତିତ । କାରଣ ତାରା ଯଦି ଅସନ୍ତୁଷ୍ଟ ହୋଇ ଦେଇଥିବା ସୂଚନା ମୁତାବକ ଦଳ ଛାଡନ୍ତି ତେବେ ପୂରା କୋରାପୁଟ ସମେତ କେବିକେ ଅଞ୍ଚଳରେ ଏହାର ପ୍ରଭାବ ପଡିବ । କାରଣ ପ୍ରଚଣ୍ଡ ବିଜେଡି ହାୱାରେ ବି ତାରା ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ହେଭିୱେଟ ନେତା ରବି ନନ୍ଦଙ୍କୁ ହରାଇ ବିଧାନସଭାକୁ ଆସିଛନ୍ତି ।

ତାରାଙ୍କ ଏଭଳି ରେ ରେ କାର ପରେ କିଛିଦିନ ଧରି କଂଗ୍ରେସର ସଭାପତି ହଟାଅ ଅଭିଯାନ ପୁଣିଥରେ ଆରମ୍ଭ ହୋଇ ଯାଇଛି । ପ୍ରଥମ ଦଫାରେ ଏହି ଝଡ ଉପକୂଳ ଓଡିଶାରୁ ଉଠିଥିବାବେଳେ ଏବେ କେବିକେ ଅଞ୍ଚଳରୁ ବହିବା ଆରମ୍ଭ କରିଛି । ଏହି ବାତ୍ୟାକୁ ନିରଞ୍ଜନ କିଭଳି ମୁକାବିଲା କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ ପୂର୍ବର ନିରଞ୍ଜନ ହଟାଅ ଅଭିଯାନ ଜୋର ଧରିଥିବାବେଳେ କରୋନା ସେଥିରେ ଏକ ପ୍ରକାର ପାଣି ପୂରାଇ ଦେଇଥିଲା । ବିମାନ ବନ୍ଦ ହେବାରୁ ଦିଲ୍ଲୀ ଯିବାପାଇଁ ପାଗ ଭିଡିଥିବା ବହୁ ନେତା ଯାଇପାରି ନଥିଲେ । ହେଲେ ଏବେ ପରିସ୍ଥିତି ଟିକେ ଅଲଗା । ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏହା ପରେ ପରେ ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏଭଳି ସ୍ଥିତିରେ ଦଳ ଭିତରେ ଅସନ୍ତୁଷ୍ଟକୁ କେନ୍ଦ୍ରୀୟ ଅଧିକାରୀମାନେ ଅଣଦେଖା କରିପାରିବେ ନାହିଁ । ଅସନ୍ତୁଷ୍ଟ ପୁଣି ବିଧାୟକ ଥିବାରୁ ସେମାନଙ୍କ କଥା ଗୁରୁତ୍ୱର ସହ ନିଆଯିବ ବୋଲି କୁହାଯାଉଛି ।

ପୂର୍ବରୁ ଅସନ୍ତୁଷ୍ଟ ହୋଇ ତାରା ଥରେ କଂଗ୍ରେସ ଛାଡି ବିଜେପିରୁ ଲଢିଥିବାବେଳେ ଏଥର ଯଦି ପୁଣି କଂଗ୍ରେସ ଛାଡିବେ ତେବେ ବିଜେଡି ଆଡେ ମୁହାଁଇବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେଡି ବି ଏଭଳି ମଉକାକୁ କେବେ ହାତଛଡା କରିବ ନାହିଁ । କାରଣ ବିଧାନସଭା ଭିତରେ ହେଉ କିମ୍ବା ବାହାରେ ତାରା ଶାସକଦଳକ ନାକରେ ପାଣି ପୂରାଇ ରଖିଥାନ୍ତି । ତେବେ ତାରାଙ୍କ ଭଳି କଂଗ୍ରେସର ପୁରୁଣା ନେତା ସବୁ ଦିଗରୁ ମାପ ଚୁପ କରି ଯାହା ନିଷ୍ପତ୍ତିନେବେ ବୋଲି ତାଙ୍କ ନିକଟତମ ମହଲ କହୁଛନ୍ତି । ହେଲେ ତାରା ଯେ ଏବେ ବିରୋଧି ଶିବିର ପାଇଁ ଚାନ୍ଦ ପାଲଟିଛନ୍ତି ସେଥିରେ କୌଣସି ଅତ୍ୟୁକ୍ତି ନାହିଁ ।