ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ (ରାଉରକେଲା ବିଧାୟକ ଶାରଦା ନାୟକ) ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ମିଳିଲା। ହେଲେ ଶପଥ ଗ୍ରହଣ କାଳରେ ଦଳର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ବେଳେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ପରିଚିତ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ କିନ୍ତୁ ଅନୁପସ୍ଥିତ ଥିବା ଦେଖା ଯାଇଥିଲା। ତେବେ ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ।
ସୁଶାନ୍ତ ଏବଂ ଦୀପାଳିଙ୍କ ମଧ୍ୟରେ ଥିବା ମନାନ୍ତର ପାଇଁ ଏହାର ଲାଭ ଶାରଦା ନାୟକ ପାଇଛନ୍ତି ବୋଲି କୁହାଯାଉଛି। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ସୁଶାନ୍ତ ସିଂ। ସେ କହିଛନ୍ତି, ‘‘ମୁଁ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର କରିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ବି ଉପସ୍ଥିତ ଥିଲି। କିନ୍ତୁ ଗଣମାଧ୍ୟମରେ ଏପରି କାହିଁକି ପ୍ରଚାର ହେଲା ତାହା ମୁଁ କହିପାରିବି ନାହିଁ।’’ ଦୀପାଳି ଓ ମୋ ଭିତରେ କଳି କଥାକୁ ନେଇ ମିଡିଆରେ ଭିନ୍ନ କଥା ପ୍ରଚାର ହେଉଛି। ହେଲେ ମୁଁ ତ ଉପନିର୍ବାଚନ ସମୟରେ କହିଥିଲି କି ଝାରସୁଗୁଡ଼ାରେ ଦୀପାଳି ଦାସ ୪୦ ହଜାର ଭୋଟରେ ଜିତିବେ। ମୋର କୌଣସି ଅସନ୍ତୋଷ ନାହିଁ।
ଅନ୍ୟପକ୍ଷରେ ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂଙ୍କୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପୁଣି ସ୍ଥାନ ମିଳିବ ବୋଲି ତାଙ୍କର ସମର୍ଥକମାନେ ଆଶା ବାନ୍ଧିବସିଥିଲେ। କିନ୍ତୁ ସେମାନେ ନିରାଶ ହୋଇଛନ୍ତି।
ତାଙ୍କୁ ମନ୍ତ୍ରୀ ପଦ ନ ମିଳିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି, ‘‘ମୁଁ କାହିଁକି ଅସନ୍ତୁଷ୍ଟ ହେବି? ମୁଁ ତ ଆଶାରେ ନ ଥିଲି। ହଁ, ଆମର ଲୋକଙ୍କ ଆଶା ଥିଲା। ହେଲେ ଯେଉଁମାନେ ମୋ’ପାଖକୁ ଆସୁଛନ୍ତି, ସେମାନଙ୍କୁ ମୁଁ ବୁଝାଇ ଦେଉଛି। ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଅସନ୍ତୁଷ୍ଟ ଥିବା ମୁଁ ଜାଣିନାହିଁ। ତାଙ୍କ ସହ ମୁଁ କଥା ହୋଇନାହିଁ। ମୋ ଉପରେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଅଛି। ମୁଁ ତ ଲବିରେ ବିଶ୍ବାସ କରେନି। ୨୦୦୯ରେ ତ ବିନା ଲବିରେ ନିଜେ ନବୀନ ପଟ୍ଟନାୟକ ମତେ ଟିକେଟ୍ ଦେଇଥିଲେ। ବିଜେଡିରେ କେହି ମୋର ପର ନୁହନ୍ତି। ମତେ ନେଇ ଦଳରେ କିଏ କ’ଣ ଭାବୁଛନ୍ତି, ତାହା ତ କହିପାରିବିନି।’’