ଜାମ୍ମୁକାଶ୍ମୀରରେ ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ସାବାଡ କରିବାକୁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ପଥର ଫିଙ୍ଗାଳି ଏବଂ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଲୋକମାନଙ୍କ ପାଇଁ ଜାମ୍ମୁକାଶ୍ମୀର ପ୍ରଶାସନ ଏକ ନୂଆ ଆଦେଶ ଜାରି କରିଛି। ଏହା ଦ୍ବାରା ଏବେ ସେହିଭଳି ଲୋକମାନେ ନା ସରକାରୀ ଚାକିରି କରିପାରିବେ ନା ବିଦେଶ ଯାତ୍ରା । ସେମାନଙ୍କର ପାସପୋର୍ଟ ହୋଇପାରିବ ନାହିଁ।
ନ୍ୟୁଜ୍ ୧୮ ଖବର ଅନୁସାରେ, ଜାମ୍ମୁ-କାଶ୍ମୀର ପ୍ରଶାସନ ରବିବାର ଏହି ନିର୍ଦେଶ ଦେଇଛନ୍ତି । ଏବେ ଯେକୌଣସି ବ୍ୟକ୍ତି ପାସପୋର୍ଟ ପାଇଁ ଆବେଦନ କରିବା ପରେ ତାଙ୍କର ପୂରା ଇତିହାସ ଯାଞ୍ଚ କରାଯିବ। ଏହାର ଅର୍ଥ ସମ୍ପୃକ୍ତ ବ୍ୟକ୍ତି ପଥର ଫିଙ୍ଗିବା, କୌଣସି ପ୍ରକାର ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି କି ନାହିଁ ଯାଞ୍ଚ ପରେ ପାସପୋର୍ଟକୁ ମଞ୍ଜୁରୀ ମିଳିବ ।
ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ଥିବେ ତେବେ ତାଙ୍କର ପାସପୋର୍ଟ, କୌଣସି ପ୍ରକାର ସରକାରୀ ଚାକିରି ଆଦି ପାଇଁ କ୍ଲିନ୍ଚିଟ୍ ମିଳିପାରିବ ନାହିଁ। ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର ସିଭିଲ ସେବା ଚାକିରି ପାଇଁ ସନ୍ତୋଷଜନକ ସିଆଇଡି ରିପୋର୍ଟକୁ ଅନିବାର୍ଯ୍ୟ କରାଯାଇଥିଲା । କୌଣସି ଆଶାୟୀ ଚାକିରି ପାଇଁ ଆବେଦନ କରିବା କିମ୍ବା ଚାକିରିରେ ଭର୍ତ୍ତି ହେବା ପୂର୍ବରୁ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ ବାଧ୍ୟ।
ତାଙ୍କ ପରିବାରର କେହି ସଦସ୍ୟ ରାଜନୈତିକ ସଂଗଠନ ସହ ଜଡ଼ିତ ଅଛନ୍ତି କି ନାହିଁ, ବିଦେଶରେ କୌଣସି ସଙ୍ଗଠନରେ ସକ୍ରିୟ ଅଛନ୍ତି କି ନାହିଁ ସେନେଇ ତଥ୍ୟ ଦେବାକୁ ହେବ ବୋଲି ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ।