Odia News Portal

ସଂବାଳୁଆରେ ସ୍ୱାଦିଷ୍ଟ ଜଳଖିଆ

 ଶଁବାଳୁଆକୁ ଖାଦ୍ୟରେ ସାମିଲ କରିବାକୁ ଯାଇ ଏକ ଖାଦ୍ୟ କମ୍ପାନି ଏଥିରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରୁଛି । ଦକ୍ଷିଣ ଆଫ୍ରିକାର ଏକ ଷ୍ଟାର୍ଟଅପ୍‌ ସବୁଜ ଓ କଳା ରଙ୍ଗର ଶଁବାଳୁଆ ବ୍ୟବହାର କରି ଜଳଖିଆ ଓ ଚକ୍‌ଲେଟ୍‌ ପ୍ରସ୍ତୁତ କରୁଛି ।

ଏ ନେଇ ଲୋକେ କହୁଛନ୍ତି, ସେମାନେ ପୋକକୁ ସିଧାସଳଖ ଖାଇପାରିବେ ନାହିଁ । କିନ୍ତୁ ସେଥିରୁ ପ୍ରସ୍ତୁତ ଜଳଖିଆକୁ ଆରାମରେ ଖାଇପାରିବେ । ଦକ୍ଷିଣ ଆଫ୍ରିକାର କେମିକାଲ୍‌ ଇଞ୍ଜିନିୟର ୱେଣ୍ଡି ଭେସେଲା ଏକ ନୂଆ ତରିକା ବାହାର କରିଛନ୍ତି । ଏହା ଦ୍ୱାରା ଶଁବାଳୁଆ ଭଳି ପୋକଙ୍କୁ ଅଟାରେ ରୂପାନ୍ତରିତ କରାଯାଇ ପାରିବ । ଫଳରେ ଏଥିରୁ ଜଳଖିଆ ପ୍ରସ୍ତୁତ ହେବ । ୱେଣ୍ଡି ଏହି ସ୍ୱତନ୍ତ୍ର ଟେକ୍ନୋଲୋଜି ଜରିଆରେ ସବୁଜ ଓ କଳା ରଙ୍ଗର କଣ୍ଟକିତ ଶଁବାଳୁଆଙ୍କୁ ଅଟାରେ ରୂପାନ୍ତରିତ କରୁଛନ୍ତି । ଏହି ଅଟାରେ ବିସ୍କୁଟ୍‌, ପ୍ରୋଟିନ୍‌ ବାର୍‌, ଚକ୍‌ଲେଟ, ଶେକ୍‌ କିମ୍ବା ସ୍ମୁଦି ପ୍ରସ୍ତୁତ ହୋଇପାରିବ । ୱେଣ୍ଡି ଜୋହାନ୍ସବର୍ଗର ଅପ୍‌ମାର୍କେଟ୍‌ ସ୍ୟାଣ୍ଡଟନ୍‌ରେ ଖାଦ୍ୟ ମେଳାରେ ଏହି ବ୍ୟଞ୍ଜନ ପ୍ରଦର୍ଶନ କରିବା ପରେ ଏହାକୁ ଭଲ ପ୍ରତିକ୍ରିୟା ମିଳିଲା ।

ଲୋକେ କହୁଛନ୍ତି, ସେମାନେ ପୋକ ଖାଇପାରୁ ନାହାନ୍ତି । କିନ୍ତୁ ଚକ୍‌ଲେଟ ଭାବେ ଏହା ବେଶ ସ୍ୱାଦିଷ୍ଟ । ୱେଣ୍ଡି କହନ୍ତି, ପୋକ ଖାଇବା କଥା ମନକୁ ଆସିଲେ, ଲୋକଙ୍କୁ ଘୃଣା ଲାଗେ । କିନ୍ତୁ ଶଁବାଳୁଆ ପୋଷକ ତତ୍ତ୍ୱର ଏକ ଉତ୍ତମ ସ୍ରୋତ । ଏମାନଙ୍କ ବୃଦ୍ଧିରେ ପରିବେଶର କୌଣସି କ୍ଷତି ହୁଏ ନାହିଁ । ଏଥିପାଇଁ ଅଲଗା ଜାଗା ମଧ୍ୟ ଆବଶ୍ୟକ ନାହିଁ । ୱେଣ୍ଡି ଏହି ଉତ୍ପାଦକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । ପିଜ୍ଜା ଟପିଙ୍ଗ ରୂପେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ସେ ଯୋଜନା କରୁଛନ୍ତ।