Odia News Portal

ନିଶା ବେପାରୀଙ୍କ ଅକଲଗୁଡ଼ୁମ

ଭୁବନେଶ୍ୱର: ନିଶା ସାମଗ୍ରୀର ବେଆଇନ୍‍ କାରବାରର କୁପ୍ରଭାବ ଉଭୟ ଯୁବଗୋଷ୍ଠି ଓ ସମାଜ ଉପରେ ପଡୁଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ରାଜ୍ୟ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ସ୍କ୍ୱାଡ୍‍ର ଧରପଗଡ ଏବେ କାମ ଦେଉଛି । କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କ ସକ୍ରିୟତା ଏବଂ ନିୟମିତ ଚଢଉ ଯୋଗୁଁ ଅଧିକରୁ ଅଧିକ ସଂଖ୍ୟାରେ ଅବକାରୀ ସାମଗ୍ରୀ ଜବତ ସହିତ ଏହି ବେଆଇନ୍‍ କାରବରେ ଲିପ୍ତ ଅପରାଧି ମଧ୍ୟ ଧରାପଡୁଛନ୍ତି ।

ଚଳିତବର୍ଷ ଅକ୍ଟୋବର ମାସରେ ବାଲେଶ୍ୱର ଜିଲ୍ଲାର ଅବକାରୀ ବିଭାଗ ୧.୫ କିଲୋ ବ୍ରାଉନସୁଗାର ଜବତ କରିଛନ୍ତି । ରାଜ୍ୟ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍‍ ଜଳେଶ୍ୱର ଅଞ୍ଚଳରୁ ଏହା ଜବତ କରିବା ସହିତ ନିଶା ବାରବାରରେ ଜଡିତ ଜଣେ ଦୁର୍ଦ୍ଦାନ୍ତ ନିଶାବେପାରୀକୁକ ଗିରଫ କରିଛି । ସେହିଭଳି ବସ୍ତା ଥାନା ଅଞ୍ଚଳର ବିଦ୍ୟାଧରପୁରରୁ ୨.୧ କିଲୋ ବ୍ରାଉନସୁଗାର ଜବତ ସହିତ ଦୁଇଜଣ ଦୁର୍ଦ୍ଦାନ୍ତ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩କୋଟି ୬୦ଲକ୍ଷ ଟଙ୍କା ହେବ ।

ଅନୁରୂପ ଭାବେ ବ୍ରହ୍ମପୁର ଅବକାରୀ ଜିଲ୍ଲା ପକ୍ଷରୁ ୧୨୫୦ କିଲୋ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୬୨.୫୦ ଲକ୍ଷ ଟଙ୍କା । ଏଥି ସହିତ ଗୋଟିଏ ଟ୍ରକ, ଗୋଟିଏ କାର ଏବଂ ୪ଜଣ ନିଶାବେପାରୀଙ୍କୁ ଗତ ସେପ୍ଟେମ୍ବର ମାସରେ ଗିରଫ କରାଯାଇଛି । ସେହି ମାସରେ କୋରାପୁଟ ଜିଲ୍ଲା ପଡୱା ଥାନା ଅଞ୍ଚଳରୁ ଅବକାରୀ ଟିମ୍‍ ପ୍ରାୟ ୪୨ଲକ୍ଷ ଟଙ୍କା ମୂଲ୍ୟର ୮୪୦ କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଗତବର୍ଷ ତୁଳନାରେ ଅଧିକ ପରିମାଣରେ ଅବକାରୀ ସାମଗ୍ରୀ ଜବତ ସହିତ ଅଧିକ ଏନ୍‍ଡିପିଏସ୍‍ ମାମଲା ରୁଜୁ କରିଛି । ୨୦୨୧-୨୨ ବର୍ଷରେ ଏହି ସମୟ ମଧ୍ୟରେ ୩୭୭ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ମାତ୍ର ୧୧୬ଟି ଥିଲା । ସେହିଭଳି ଏହି ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ୪୪୮ଜଣ ବ୍ୟକ୍ତିଙ୍କୁ ନିଶାକାରବାର ମାମଲାରେ ଗିରଫ କରାଯାଇଥିବାବେଳେ ୨୦୨୦-୨୧ ବର୍ଷର ଏହି ସମୟରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୪୨ ରହିଥିଲା । ମାମଲା ରୁଜୁ ଓ ଗିରଫ ବ୍ୟକ୍ତିଙ୍କ ଭଳି ଗଞ୍ଜେଇ, ବ୍ରାଉନସୁଗାର ଓ କଫସିରପ ଜବତ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୨୦୨୧-୨୨ ବର୍ଷରେ ଏପ୍ରିଲ୍‍ରୁ ଅକ୍ଟୋବର ମାସ ମଧ୍ୟରେ ୧୪୬ କୁଇଣ୍ଟାଲ ଗଞ୍ଜେଇ, ପ୍ରାୟ ୮କିଲୋ ବ୍ରାଉନସୁଗାର ଓ ୫୧୯ ଲିଟର କଫ ସିରପ ଜବତ ହୋଇଥିବାବେଳେ ୨୦୨୦-୨୧ ବର୍ଷର ଏପ୍ରିଲ୍‍ରୁ ଅକ୍ଟୋବର ମଧ୍ୟରେ ୩୪ କୁଇଣ୍ଟାଲ ଗଞ୍ଜେଇ ଓ ୬୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେହିବର୍ଷ କୌଣସି କଫସିରପ ଜବତ ହୋଇନଥିଲା ।

ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ଦ୍ୱାରା ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ କାର୍ଯ୍ୟକ୍ଷମତାକୁ ସୁଦୃଢ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଫଳ ସ୍ୱରୂପ ବ୍ୟାପକ ଚଢଉ, ଜବତ ଓ ଗିରଫଦାରୀ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଅବାକାରୀ ଚୋରା କାରବାର ହ୍ରାଓ ପାଇବ ବୋଲି ଆଶା କରାଯାଉଛି ।