Odia News Portal

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ସେ ଉପରେ ଆବଶ୍ୟକ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ଭିଡ଼ କମ୍‌ ବେଳେ ଦିବ୍ୟାଙ୍ଗମାନଙ୍କୁ ଝୁଲାରେ ନେଇ ଜୟବିଜୟ ଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ କରାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଝୁଲା ପ୍ରସ୍ତୁତ ହେବ। ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ସଂଖ୍ୟା ସୀମିତ ଓ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯିବ। ସେହି ଅନୁସାରେ ଏସ‌୍ଓପି ପ୍ରସ୍ତୁତ କରାଯିବ।

ଦିବ୍ୟାଙ୍ଗଙ୍କ ଦର୍ଶନ ଉପରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆ‌‌ୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଜଗନ୍ନାଥ କରଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ଏହା ଏକ ପ୍ରାରମ୍ଭିକ ବୈଠକ ଥିଲା। ବୈଠକରେ ଶ୍ରୀମନ୍ଦିର ନୀତିକାନ୍ତି, ପରମ୍ପରା ଆଧାରରେ ଦିବ୍ୟାଙ୍ଗମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେ ଉପରେ ଆଲୋଚନା ହୋଇଥିଲା। ଯେହେତୁ ଶ୍ରୀମନ୍ଦିର ଭିତରକୁ ହ୍ବିଲ୍ ଚେୟାର ପ୍ରବେଶ ପରମ୍ପରା ବିରୋଧୀ, ସେ ଦୃଷ୍ଟିରୁ ଉତ୍ତରଦ୍ବାର ଦେଇ ଝୁଲାରେ ଦିବ୍ୟାଙ୍ଗମାନଙ୍କୁ ଦର୍ଶନ ପାଇଁ ନେବାକୁ ଯୋଜନା କରାଯାଇଛି। ଅମରନାଥ, ବୈଷ୍ଣୋଦେବୀରେ ଯେଭଳି ଭକ୍ତମାନେ ଝୁଲାରେ ଯାଇ ଦର୍ଶନ କରୁଛନ୍ତି, ସେହି ଢାଞ୍ଚାରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗମାନଙ୍କ ଦର୍ଶନ ବ୍ୟବସ୍ଥା କରାଯିବ। ସେହି ଅନୁସାରେ ଝୁଲାର ଡିଜାଇନ୍‌ ହେବ।

ଦିବ୍ୟାଙ୍ଗମାନେ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପରେ ଘଣ୍ଟିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବେ। ବାହାର କାଠ ଓ ଭିତର କାଠ ମଝିରେ ଜୟ-ବିଜୟ ଦ୍ବାରରୁ ଦର୍ଶନ ବ୍ୟବସ୍ଥା କରାଯିବ। ଫଳରେ, ଅନ୍ୟ ଭକ୍ତମାନେ ବି ଦର୍ଶନରେ ଅସୁବିଧା ଭୋଗିବେନି। ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ରହିବ।ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍‌ ଖୋଲାଯିବ। ଏହି ପୋର୍ଟାଲ୍‌ ଜରିଆରେ ଦର୍ଶନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଦିବ୍ୟାଙ୍ଗମାନେ ଅନ୍‌ଲାଇନ୍‌ରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଯେଉଁମାନେ ଅନ୍‌ଲାଇନ୍‌ ପଞ୍ଜୀକରଣ କରିପାରିବେନି, ସେମାନଙ୍କ ପାଇଁ ଅଫ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ରହିବ। ପଞ୍ଜୀକରଣ ବେଳେ ସେମାନେ ନାମ, ବୟସ, ଓଜନ, ଦିବ୍ୟାଙ୍ଗ ପ୍ରମାଣପତ୍ର ଆଦି ଦେବେ। ଯେଉଁମାନେ ଚାଲିବୁଲି ପାରୁନଥିବେ, ସେହିମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। ଦୈନିକ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ସଂଖ୍ୟା ସୀମିତ ରଖାଯିବ। କେଉଁ ସମୟରେ ଓ କେତେ ସମୟ ଦିବ୍ୟାଙ୍ଗମାନେ ଦର୍ଶନ କରିବେ, ତା’ର ସମୟ ଧାର୍ଯ୍ୟ ହେବ। ପ୍ରତି ଦିବ୍ୟାଙ୍ଗଙ୍କ ସହ ଜଣେ ଆଟେଣ୍ଡାଣ୍ଟ ଯାଇପାରିବେ।

ପୂର୍ବରୁ ପଶ୍ଚିମଦ୍ବାରରୁ ପ୍ରବେଶ କରାଇବାକୁ ଯୋଜନା କରାଯାଉଥିଲା। କିନ୍ତୁ, ପଶ୍ଚିମଦ୍ବାର ପାହାଚ ଅଧିକ ଉଚ୍ଚ ଓ ଚଢ଼ିବା କଷ୍ଟକର ଥିବାରୁ ଉତ୍ତରଦ୍ବାର ଦେଇ ଦିବ୍ୟାଙ୍ଗମାନଙ୍କୁ ପ୍ରବେଶ କରାଇବାକୁ ଯୋଜନା ହୋଇଛି। ଉତ୍ତରଦ୍ବାରରେ ଦିବ୍ୟାଙ୍ଗଙ୍କ ବିଶ୍ରାମ ପାଇଁ ଏକ ସେଡ୍‌ ବ୍ୟବସ୍ଥା ବି କରାଯିବ। ‌ଦର୍ଶନ ସରିବାପରେ ସେଠାରେ ଦିବ୍ୟାଙ୍ଗମାନେ ବିଶ୍ରାମ ନେବେ। ଫଳରେ, ସାଙ୍ଗରେ ଆସିଥିବା ପରିବାର ସଦସ୍ୟମାନଙ୍କୁ ଆଉ ମନ୍ଦିର ଭିତରେ ଖୋଜିବାକୁ ପଡ଼ିବନି। ଝୁଲାରେ ଦିବ୍ୟାଙ୍ଗଙ୍କୁ ନେବାକୁ ବୋଝିଆ ନିଯୁକ୍ତ ହେବେ। ଖୁବ୍‌ଶୀଘ୍ର ଦିବ୍ୟାଙ୍ଗଙ୍କ ସହ ଜଡ଼ିତ ବିଭିନ୍ନ ସଂଗଠନକୁ ନେଇ ଏ ଉପରେ ଆଲୋଚନା କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତିରେ ଚୂଡ଼ାନ୍ତ ମୋହର ବାଜିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।