କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଏକ ସପ୍ତାହ ପାଇଁ ବିଶ୍ରାମ ନେବା ପାଇଁ ଡାକ୍ତରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି ।

ନିକଟରେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିଲେ । ସେ ଚଳିତ ବର୍ଷର ଆରମ୍ଭରୁ ଏବେ ସୁଦ୍ଧା ତାଙ୍କର ୨ ଥର ଏଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିଥିବାରୁ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପ୍ରଥମ ଥର ଏଞ୍ଜିଓପ୍ଲାଷ୍ଟି ପରେ ଗାଙ୍ଗୁଲି ସୁସ୍ଥ ଅନୁଭବ କରିଥିଲେ । ଏହାସହ ଆଇପିଏଲ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ । କିନ୍ତୁ ପରେ ସେ ପୁନର୍ବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପ୍ରଥମେ ଜାନୁଆରୀ ୨ରେ ଗାଙ୍ଗୁଲିଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୨୭ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡି ଯାଇଥିଲା । ଏହାପରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କ୍ରିଟିକାଲ କେୟାର ୟୁନିଟରେ ରହି ଚିକିତ୍ସିତ ହେବାପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଛି |