Odia News Portal

ଟିକାକରଣ ପାଇଁ ଯିବ ଏସ୍ଏମ୍ଏସ୍

ଭୁବନେଶ୍ୱର: ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ପାଇଁ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜୀକୃତ କରିଥିବେ, ସେମାନଙ୍କ ପାଖକୁ ଆଜି ଏସ୍ଏମ୍ଏସ୍ ଯିବ। ଏହି ଏସ୍ଏମ୍ଏସ୍ ଜରିଆରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ, ସେ ନେଇ ସମସ୍ତ ସୂଚନା ସହଜରେ ପାଇପାରିବେ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ୧୬ ତାରିଖରେ ସବୁ ରାଜ୍ୟରେ ଟିକାକରଣ ହେବ । ସେହିଦିନ ସକାଳେ ଭ୍ୟାକସିନ୍ ଦେବା ପାଇଁ ପ୍ରତି ସେସନରେ ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଟିକାକରଣ ଆରମ୍ଭ ହେବ। ଟିକାକରଣ ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଆଜି ଏକ ଏସ୍ଏମ୍ଏସ୍ ଯିବ। ଏଥିରେ ଟିକାକରଣର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ ରହିବ। ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ତେବେ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ।

ପ୍ରତିଟି ବ୍ୟକ୍ତିଙ୍କୁ ଗୋଟିଏ ପ୍ରକାରର ଟିକା ଦିଆଯିବ। ଅର୍ଥାତ୍ ଯେଉଁ ବ୍ୟକ୍ତି କୋଭିଶିଲ୍ଡ ଦିଆଯିବ, ସେମାନଙ୍କୁ ୨ୟ ଡୋଜରେ ମଧ୍ୟ ଏହି ଟିକା ଦିଆଯିବ। ଟିକା ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଟିକା ଦିଆଯିବ। ୨ୟ ଟିକା ନେବାର ୧୪ ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ। ଯଦି ପ୍ରଥମ ଟିକା ନେବା ପରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି, ତାହେଲେ ତାଙ୍କୁ ୨ୟ ଡୋଜ ଦିଆଯିବ ନାହିଁ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଟିକାକରଣ ପାଇଁ ରାଜ୍ୟକୁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି। ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଯିକା ପହଞ୍ଚିସାରିଛି। ପ୍ରଥମ ପର୍ଯ୍ୟାୟରେ ଆମେ କ୍ରିଟିକାଲ ଇନଷ୍ଟିଚ୍ୟୁସନ୍, ତା’ ପରେ ସେକେଣ୍ଡାରୀ ଇନଷ୍ଟିଚ୍ୟୁସନ୍ ଏବଂ ଏହା ପରେ ପ୍ରାଇମେରୀ ଇନଷ୍ଟିଚ୍ୟୁସନରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।