ଭୁବନେଶ୍ୱର : ଟିକାକରଣ ଲାଗି ସ୍ଲଟ ବୁକିଂ ସକାଶେ ଲୋକଙ୍କୁ ରଙ୍ଗୀନ ବିଜ୍ଞାପନ ଦେଇ ବିଏମ୍ସି ଲୋକହସା ହୋଇଛି । ସ୍ଲଟ ତ ବୁକିଂ ହେଲାନାହିଁ, ବରଂ ଏଥିପାଇଁ ଘଣ୍ଟା ଘଣ୍ଟା କୁସ୍ତି କସରତ କରିବାପରେ ଲୋକେ ବିଏମ୍ସି ଉପରେ ରାଗ ସୁଝାଇଛନ୍ତି । ବିଏମ୍ସି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଖୋଦ ସାମ୍ବାଦିକମାନେ କେମିତି ହଇରାଣ ହରକତ ହୋଇଥିଲେ ତାହା ଗୋଟି ଗୋଟି କରି ବଖାଣିଥିଲେ ।
ପ୍ରଚାର ନିଶାରେ ମସଗୁଲ ଥିବା ବିଏମ୍ସି ଆଜି ସଂଧ୍ୟା ୬ଟା ପାଖାପାଖି ଇଂରାଜୀ ଓ ଓଡିଆରେ ଦୁଇଟି ରଙ୍ଗୀନ ବିଜ୍ଞାପନ ସୋସିଆଲ ମିଡିଆରେ ଜାରି କରିଥିଲା । ଏଥିରେ ଲେଖାଥିଲା ଯେ ମଇ ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ଆଜି ସଂଧ୍ୟା ୬ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ । ଉଭୟ ୧୮ରୁ ୪୪ ଓ ୪୫ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଏହା ଖୋଲା ରହିବ । ସୋସିଆଲ ମିଡିଆରେ ଏଭଳି ରଙ୍ଗିନ ବାର୍ତ୍ତା ପାଇବାପରେ ଲୋକେ ସ୍ଲଟ ବୁକିଂ ପାଇଁ ଲାଗିପଡିଲେ । ୬ଟା ବାଜିଲା ମାତ୍ରେ କମ୍ପୁ୍ୟଟର ଠାରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ ସବୁ ଘାଣ୍ଟିରେ ।
ହେଲେ ଦେଖିଲା ବେଳକୁ ଗୋଟିଏ ହେଲେ ସ୍ଲଟ ନାହିଁ । କେଉଁଠି ବୁକିଂ ସରିଥିବା ଲେଖାଯାଇଛି ତ ଆଉ କେଉଁଠି ନଟ୍ ଆଭେଲବୁଲ । ତଥାପି ଲୋକେ ଅଧଘଣ୍ଟା ପର୍ଯ୍ୟନ୍ତ ଲାଗି ପଡିଲେ । ଯେହେତୁ ବିଏମ୍ସି ଟୋକନ ବ୍ୟବସ୍ଥା ଉଠାଇବା ଘୋଷଣା କରିଛି ତେଣୁ ଲୋକେ କିଭଳି ସ୍ଲଟଟିଏ ପାଇବେ ସେଥିପାଇଁ ଲାଗିପଡିଲେ । ହେଲେ ଫଳ ପୂରା ଶୂନ । ଏହାପରେ ଲୋକଙ୍କ ରାଗ ବିଏମ୍ସି ଉପରେ ପଞ୍ଚମ ହେଲା । ସାଧାରଣ ଲୋକେ ତ ଦୂରରକଥା ସ୍ଲଟ ବୁକିଂ ପାଇଁ ଲାଗିପଡିଥିବା ଗଣମାଧ୍ୟମ ପ୍ରତିନିଧିମାନେ ହୀନସ୍ତା ହେବାପରେ ବିଏମ୍ସିର ମିଡିଆ ଗ୍ରୁପ୍ରେ ବାସ୍ତବତା ବଖାଣିଲେ । ହେଲେ ବିଏମ୍ସିର ଜଣେ ହେଲେ କେହି କାରଣ କି ନରାକରଣ ଦର୍ଶାଇଲେ ନାହିଁ ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରଙ୍ଗୀନ ବାର୍ତ୍ତା ସୋସିଆଲ ମିଡିଆରେ ଛାହିବାପାଇଁ ବିଏମ୍ସି କର୍ତ୍ତୃପକ୍ଷ ଦିନସାରା କସରତ କରିବା ସହିତ ପ୍ରାୟ ୧୦ହଜାର ଟଙ୍କା ଶ୍ରାଦ୍ଧ କରିଛନ୍ତି । ଘରୋଇ ସଂସ୍ଥା ପକ୍ଷରୁ ଏହା ଉଭୟ ଇଂରାଜୀ ଓ ଓଡିଆରେ ପ୍ରସ୍ତୁତ ହୋଇଥିଲା । ଉପର ହାକିମଙ୍କ ମନକୁ ପାଇଲା ଭଳି ରଙ୍ଗ ମରା ଯାଇଥିଲା । ହେଲେ ଯେଉଁ ଉଦେ୍ଦଶ୍ୟ ନେଇ ଏହା ପ୍ରସ୍ତୁତ ହୋଇଥିଲା ତାହା କେତେଦୂର କାମ କରିବ କେହି ବିଚାରିଲେ ନାହିଁ ।
ଫଳ ହେଲା ଏଇଆ ଯେ ଅର୍ଥ ଶ୍ରାଦ୍ଧକରି ବିଏମ୍ସିର ବାବୁମାନେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କ ରୋଷର ଶିକାର ହେଲେ । ଯିଏ ଯେଉଁଠି ପ୍ଲାଟଫର୍ମରେ ପାରିଲା ସେଠାରେ ଗାଳିଦେଲା । ବିଏମ୍ସି କିନ୍ତୁ ନିର୍ବିକାର । କେବେ ବିଏମ୍ସି କର୍ତ୍ତୃପକ୍ଷ ରଙ୍ଗୀନ ପ୍ରଚାରରୁ ନଜର ହଟାଇ ବାସ୍ତବତାକୁ ଆପଣେଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।